Categories: ଜାତୀୟ

ଷ୍ଟ୍ରକ୍ଚରାଲ ଆଓ୍ବାର୍ଡ ତାଲିକାରେ ଷ୍ଟାଚ୍ୟୁ ଅଫ୍‌ ୟୁନିଟି

ଅହମ୍ମଦାବାଦ,୫ା୮: ସର୍ଦ୍ଦାର ପଟେଲ୍‌ଙ୍କ ସ୍ମୃତିରେ ଗୁଜରାଟର କେଭାଡିଆ ଟାଉନ୍‌ରେ ନିର୍ମିତ ଷ୍ଟାଚ୍ୟୁ ଅଫ୍‌ ୟୁନିଟି ‘ଦି ଷ୍ଟ୍ରକ୍ଚରାଲ ଆଓ୍ବାର୍ଡସ-୨୦୧୯’ର ମନୋନୟନ ତାଲିକାରେ ରହିଛି। ଷ୍ଟ୍ରକ୍ଚରାଲ ଇଞ୍ଜିନିୟରଙ୍କୁ ନେଇ ଗଠିତ ବ୍ରିଟେନ୍‌ର ଏକ ଅନୁଷ୍ଠାନ ଦ୍ୱାରା ଏହି ପୁରସ୍କାର ପ୍ରଦାନ କରାଯାଏ। ୧୮୨ମିଟର ଉଚ୍ଚତା ବିଶିଷ୍ଟ ଷ୍ଟାଚ୍ୟୁ ଅଫ୍‌ ୟୁନିଟିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୮ ଅକ୍ଟୋବର ୩୧ରେ ଲଞ୍ଚ୍‌ କରିଥିଲେ। ଉକ୍ତ ସମ୍ମାନ ପାଇଁ ମନୋନୟନ ତାଲିକାରେ ବିଶ୍ୱର ୪୯ଟି ଢାଞ୍ଚା ସ୍ଥାନ ପାଇଥିବା ପ୍ରତିଷ୍ଠାନର ଓ୍ବେବ୍‌ସାଇଟ୍‌ରେ କୁହାଯାଇଛି। ନଭେମ୍ବର ୧୫ରେ ଲଣ୍ଡନରେ ଆୟୋଜିତ ଏକ ସ୍ବତନ୍ତ୍ର ଉତ୍ସବରେ ପୁରସ୍କାର ଘୋଷଣା କରାଯିବ। ଉକ୍ତ ପୁରସ୍କାର ପାଇଁ ମନୋନୀତ ହୋଇଥିବା ଅନ୍ୟ ଢାଞ୍ଚାଗୁଡିକ ମଧ୍ୟରେ ଚାଇନାର ହାଙ୍ଗ୍‌ଝୋଉଠାରେ ଘୂର୍ଣ୍ଣାୟମାନ ଫୁଲପାଖୁଡାର ଛାତ ଥିବା ଏକ ସ୍ପୋର୍ଟସ ଷ୍ଟାଡିୟମ୍‌, ଲଣ୍ଡନରେ ୨୨ମିଟର ଗଭୀରତାର ମୂଳଦୁଆ ଉପରେ ଗଢ଼ିଉଠିଥିବା ପଞ୍ଚତାରକା ହୋଟେଲ ଏବଂ ସାନ୍‌ଫ୍ରାନ୍‌ସିସ୍‌କୋରେ ନିର୍ମିତ ବିଶ୍ୱର ସବୁଠୁ ଭୂକମ୍ପ ନିରୋଧୀ ଅଟ୍ଟାଳିକା ସ୍ଥାନ ପାଇଥିବା ଉକ୍ତ ଓ୍ବେବ୍‌ସାଇଟ୍‌ରେ ସୂଚନା ଦିଆଯାଇଛି।

Share