‘ଷ୍ଟ୍ରିଟ୍‌ ଡ୍ୟାନ୍‌ସର ୩ଡି’ରେ ଭାରତ-ପାକ୍‌ ଲଢ଼େଇ

ମୁମ୍ବାଇ: ବରୁଣ ଧାଓ୍ବନ ଏବଂ ଶ୍ରଦ୍ଧା କପୁର ଅଭିନୀତ ଫିଲ୍ମ ‘ଏବିସିଡି-୨’ରେ ଦର୍ଶକଙ୍କ ମନ ଜିଣିବା ପରେ ଏବେ ନିର୍ଦ୍ଦେଶକ ରେମୋ ଡି’ସୁଜା ଦର୍ଶକଙ୍କୁ ଭେଟି ଦେଉଛନ୍ତି ‘ଷ୍ଟ୍ରିଟ୍‌ ଡ୍ୟାନ୍‌ସର୍‌ ୩ଡି’। ଏହି ଫିଲ୍ମରେ ମଧ୍ୟ ଶ୍ରଦ୍ଧା-ବରୁଣଙ୍କ ଯୋଡ଼ି ଦେଖିବାକୁ ମିିଳିବ। ବୁଧବାର ଫିଲ୍ମର ଟ୍ରେଲର୍‌ ରିଲିଜ୍‌ ହୋଇଯାଇଛି। ଟ୍ରେଲର୍‌ରୁ ଜଣାପଡ଼ୁଛି ଫିଲ୍ମରେ ଭରପୂର ଡ୍ୟାନ୍ସ, ମ୍ୟୁଜିକ୍‌, ରୋମାନ୍ସ ଆଉ ଡ୍ରାମା ଦେଖିବାକୁ ମିଳିବ।ବହୁ ପ୍ରତୀକ୍ଷିତ ଫିଲ୍ମ ‘ଷ୍ଟ୍ରିଟ୍‌ ଡ୍ୟାନ୍‌ସର୍‌ ୩ଡି’ର ଟ୍ରେଲର୍‌ ଆସିଯାଇଛି। ଏକାଧିକ କାରଣରୁ ସିନେପ୍ରେମୀ ତଥା ଡ୍ୟାନ୍ସ ଏବଂ ମ୍ୟୁଜିକ୍‌ ଲଭର୍ସଙ୍କ ପାଇଁ ଏହା ଏକ ସ୍ପେଶାଲ ଫିଲ୍ମ। ଏଥିରେ ଭାରତ-ପାକ୍‌ ଭିତରେ ଲଢ଼େଇ ମଧ୍ୟ ଦେଖିବାକୁ ମିଳିବ, କିନ୍ତୁ ଏହି ଲଢ଼େଇ ଡ୍ୟାନ୍ସକୁ ନେଇ। ଟ୍ରେଲର୍‌ରୁ ଜଣାପଡ଼ୁଛି, ବରୁଣ ଭାରତୀୟ ଟିମ୍‌କୁ ପ୍ରତିନିଧିତ୍ୱ କରୁଥିବାବେଳେ ଶ୍ରଦ୍ଧା ପାକିସ୍ତାନ ଡ୍ୟାନ୍ସ ଟିମ୍‌ ପାଇଁ ପ୍ରତିନିଧିତ୍ୱ କରୁଛନ୍ତି। ଉଭୟଙ୍କ ମଧ୍ୟରେ ଡ୍ୟାନ୍ସର ଯୁଦ୍ଧ ଏବଂ ଜିତିବାର ପ୍ରତିବଦ୍ଧତା ଦେଖିବାକୁ ମିଳିବ। ଫିଲ୍ମରେ ଶ୍ରଦ୍ଧା-ବରୁଣଙ୍କ ବ୍ୟତୀତ ଚର୍ଚ୍ଚିତ ଡ୍ୟାନ୍ସର୍‌ ନୋରା ଫତେହି ଏବଂ ମାଷ୍ଟର ଡ୍ୟାନ୍ସର୍‌ ପ୍ରଭୁଦେବା ମଧ୍ୟ ଡ୍ୟାନ୍ସ ଫ୍ଲୋର୍‌ରେ କମାଲ୍‌ ଦେଖାଇବେ। ତେବେ ଟ୍ରେଲର୍‌ରେ ପ୍ରଭୁଦେବାଙ୍କ ସୁପର୍‌ହିଟ୍‌ ‘ମୁକାବ୍‌ଲା ଓ ଲୈଲା..’ ସାଙ୍ଗକୁ ପଣ୍ଡିତ ଭୀମ୍‌ସେନ୍‌ ଯୋଶୀଙ୍କ ‘ମିଲେ ସୁର୍‌ ମେରା ତୁମ୍‌ହାରା..’ ଗୀତର ଝଲକ ମଧ୍ୟ ରହିଛି, ଯାହା ଏକତ୍ୱ ଏବଂ ସମସ୍ତଙ୍କୁ ସାଙ୍ଗରେ ନେଇ ଆଗକୁ ବଢ଼ିବାର ବାର୍ତ୍ତା ଦେଇଥାଏ। ଏହାଛଡ଼ା ଫିଲ୍ମରେ ଦମ୍‌ଦାର ଡାଏଲଗ୍‌ ମଧ୍ୟ ଦର୍ଶକଙ୍କ ଧ୍ୟାନ ଆକର୍ଷଣ କରିବ। ଅନ୍ୟପଟେ ଟ୍ରେଲର୍‌କୁ ଦର୍ଶକ ଖୁବ୍‌ ପସନ୍ଦ କରୁଛନ୍ତି। ରିଲିଜ୍‌ର ୨୪ ଘଣ୍ଟା ମଧ୍ୟରେ ୨୪ ମିଲିୟନ୍‌ରୁ ଅଧିକ ଲୋକ ଟ୍ରେଲର୍‌କୁ ଦେଖିସାରିଲେଣି। ଫିଲ୍ମଟି ୨୦୨୦ ଜାନୁୟାରୀ ୨୪ରେ ରିଲିଜ୍‌ ହେବ।

Share