ଷ୍ଟ୍ରେଚ୍‌ମାର୍କରୁ ମୁକ୍ତି

ଶିଶୁ ଜନ୍ମ ପରେ ଅଧିକାଂଶ ମା’ଙ୍କ ପେଟ ଏବଂ ଶରୀରର ବିଭିନ୍ନ ସ୍ଥାନରେ ଷ୍ଟ୍ରେଚ୍‌ମାର୍କ ହୋଇଯାଏ, ଯାହା ସୌନ୍ଦର୍ଯ୍ୟ ନଷ୍ଟ କରିଦିଏ ବୋଲି ଅନେକେ ବ୍ୟସ୍ତ ହୋଇଥାନ୍ତି। ହେଲେ ଏଥିପାଇଁ ବ୍ୟସ୍ତ ନ ହୋଇ କେତୋଟି ସହଜ ଉପାୟ ଆପଣାଇଲେ ଧୀରେ ଧୀରେ ଷ୍ଟ୍ରେଚ୍‌ମାର୍କ ଦୂରେଇ ପାରିବେ..

ଅଏଲ୍‌ ମସାଜ୍‌: ପେଟ ଏବଂ ଅନ୍ୟ ଷ୍ଟ୍ରେଚ୍‌ମାର୍କ ହୋଇଥିବା ସ୍ଥାନରେ ଅଏଲ୍‌ ମସାଜ୍‌ କରିବା ଦ୍ୱାରା ତାହା ନରମ ହେବା ସହ ଧୀରେ ଧୀରେ ମାର୍କ ଦୂର ହେବାରେ ସାହାଯ୍ୟ କରିଥାଏ। ତେବେ ଏହାକୁ ଲଗାଇବାର ସବୁଠୁ ଭଲ ଉପାୟ ହେଉଛି ଉଷୁମ ପାଣିରେ ଗାଧୋଇବା ପରେ ଧୀରେ ଧୀରେ ପ୍ରାୟ ୨ ମିନିଟ୍‌ ପର୍ଯ୍ୟନ୍ତ ମାର୍କ ହୋଇଥିବା ସ୍ଥାନରେ ତେଲ ଘଷନ୍ତୁ। ଏଥିପାଇଁ ବାୟୋ ଅଏଲ୍‌ କିମ୍ବା ନଡ଼ିଆ ତେଲ ସବୁଠୁ ଭଲ।
କ୍ରିମ୍‌: ଷ୍ଟ୍ରେଚ୍‌ମାର୍କ ଦୂର କରିବା ଲାଗି ବର୍ତ୍ତମାନ ବିଭିନ୍ନ ପ୍ରକାର କ୍ରିମ୍‌ ମାର୍କେଟ୍‌ରେ ଉପଲବ୍ଧ। ଡାକ୍ତରଙ୍କ ପରାମର୍ଶକ୍ରମେ କୌଣସି ଏକ ଭଲ ସ୍ପେଶିଆଲାଇଜ୍‌ଡ କ୍ରିମ୍‌, ଷ୍ଟ୍ରେଚ୍‌ମାର୍କ ରିକଭରି ସିରମ୍‌, ବଡି ଫର୍ମିଙ୍ଗ୍‌ ଜେଲ୍‌ ଆଦି ସକାଳେ ଏବଂ ସଂଧ୍ୟାରେ ଲଗାନ୍ତୁ ଉପକୃତ ହେବେ।
ପାଣି: ଷ୍ଟ୍ରେଚ୍‌ମାର୍କ କମିବା ଲାଗି କେବଳ ତେଲ, କ୍ରିମ୍‌ ଆଦି ମସାଜ୍‌ ଯଥେଷ୍ଟ ନୁହେଁ। ଏଥିପାଇଁ ଶରୀରର ଜଳୀୟାଂଶ ଠିକ୍‌ ରହିବା ଦରକାର। ତେଣୁ ଦିନକୁ ଅତି କମ୍‌ରେ ୩-୪ ଲିଟର ପାଣି ପିଅନ୍ତୁ।
ଏକ୍ସରସାଇଜ୍‌: ଏହା ଶରୀରକୁ ଫିଟ୍‌ ରଖିବା ସହ ଶୀଘ୍ର ସ୍କିନ୍‌ ରିପେୟାର କରିବାରେ ସାହାଯ୍ୟ କରିଥାଏ, ଯାହା ଗର୍ଭଧାରଣ ଯୋଗୁ ଫୁଲିଯାଇଥିବା ଏବଂ ଷ୍ଟ୍ରେଚ୍‌ମାର୍କ ହୋଇଥିବା ସ୍ଥାନକୁ ଧୀରେ ଧୀରେ ରିପେୟାର କରି ପୂର୍ବଭଳି ସୁନ୍ଦର କରିଥାଏ।
ଘିକୁଆଁରୀ: ଚାମଚରେ ଘିକୁଆଁରୀ ଭିତରୁ ଜେଲ୍‌ ବାହାର କରିଦିଅନ୍ତୁ। ଏହାକୁ ଷ୍ଟ୍ରେଚ୍‌ମାର୍କ ହୋଇଥିବା ସ୍ଥାନ ଉପରେ ଧୀରେ ଧୀରେ ଘଷନ୍ତୁ। ୧୫ ମିନିଟ୍‌ ରଖିବା ପରେ ଅଳ୍ପ ଉଷୁମ ପାଣିରେ ଧୋଇଦିଅନ୍ତୁ।
ଲେମ୍ବୁ: ଲେମ୍ବୁରସକୁ ଏକ କଟନ ସାହାଯ୍ୟରେ ନେଇ ଷ୍ଟ୍ରେଚ୍‌ମାର୍କ ଥିବା ସ୍ଥାନରେ ଲଗାଇ ଦଶ ମିନିଟ୍‌ ପର୍ଯ୍ୟନ୍ତ ରଖିବା ପରେ ନଖଉଷୁମ ପାଣିରେ ଗାଧୋଇ ପଡ଼ନ୍ତୁ। ଲେମ୍ବୁରେ ଥିବା ପ୍ରାକୃତିକ ଏସିଡ୍‌ ମାର୍କ ଦୂର କରିବାରେ ସାହାଯ୍ୟ କରିବ।