ସଂକ୍ରମଣ ରୋକିବ ‘ସେନ୍ସର ଚାଳିତ ବିଶୋଧନ ଯନ୍ତ୍ର’: ୩ ଦିନରେ ତିଆରି କରି ଚର୍ଚ୍ଚାରେ ଯୁବକ

ପଦ୍ମପୁର, ୧୮ା୪(ଡି.ଏନ.ଏ.)-ସାରା ବିଶ୍ୱ ଏବେ କରୋନା କବଳରୁ ମୁକ୍ତି ପାଇବା ପାଇଁ ଲଢ଼େଇ କରୁଛି। ଏଭଳି ସ୍ଥିତିରେ ମଣିଷ ଶରୀରକୁ ମାତ୍ର ଦୁଇ ସେକେଣ୍ଡରେ ପ୍ରାକୃତିକ ବିଶୋଧନ ଦ୍ରବଣ ବ୍ୟବହାର କରି ସେନ୍ସର ଦ୍ୱାରା ମୋଟରଚାଳିତ ସିଞ୍ଚନ ଯନ୍ତ୍ରରେ ପୁରା ମଣିଷ ଶରୀରକୁ ବିଶୋଧନ କରାଯାଇପାରିବ। ଏପରି ଏକ ଯନ୍ତ୍ର ତିଆରି କରିଛନ୍ତି ବାସୁଦେବପୁର ପୌରପାଳିକା ୧୬ ନଂ. ୱାର୍ଡ଼ର ସେକ୍‌ ତାଜଉଦ୍ଦିନ(ସକିଲ) ଓ ତାଙ୍କର ମାଉସୀ ପୁଅ ତାଜଉଦ୍ଦିନ। ଏକ ଅଧା କିଲୋୱାଟ୍‌ର ମୋଟର, ମୋବାଇଲ ଚାର୍ଜର, ସେନ୍ସର, ନିପ୍ପଲ, କିଛି ଓ୍ବେୟାରିଂ ପ୍ଲାଷ୍ଟିକ୍‌ ପାଇପ ବ୍ୟବହାର କରି ତିଆରି ହୋଇଛି ଏହି ସିଞ୍ଚନ ଯନ୍ତ୍ର। ୬ଫୁଟ ଉଚ୍ଚତା ଓ ୩.୫ ଫୁଟ ଓସାର ଏହି ଯନ୍ତ୍ରରେ ମଣିଷ ପ୍ରବେଶ କରିବା ମାତ୍ରେ ସେନ୍ସର ଦ୍ୱାରା ସିଞ୍ଚନ ଆରମ୍ଭ ହେବ। ବାହାରକୁ ବାହାରି ଗଲେ ଆପେ ଆପେ ଏହା ବନ୍ଦ ହେବ। ଏହାକୁ ଚଳାଇବା ପାଇଁ କୌଣସି ସୁଇଚ ଆବଶ୍ୟକତା ନାହିଁ। ଜଣେ ମଣିଷକୁ ସିଞ୍ଚନ ଦ୍ୱାରା ବିଶୋଧନ କରିବା ପାଇଁ ଦୁଇ ସେକେଣ୍ଡ ଲାଗିବ। ମୋଟର ଚଳାଇବା ପାଇଁ ବିଦ୍ୟୁତ ଶକ୍ତି ଆବଶ୍ୟକ। ଆବଶ୍ୟକ ସ୍ଥଳେ ବ୍ୟାଟେରି ଦ୍ୱାରା ମୋଟର ଚାଲିପାରିବ। ବିଶୋଧକ ଦ୍ରବଣ ପାଇଁ ଘିକୁଅଁାରି ଇଥାଇଲ ଆଲକୋହଲ, ଭିଟାମିନ ଇ, ଗୋଲାପ ଜଳ ଓ ପାଣି ବ୍ୟବହାର କରାଯାଇଛି। ଯାହା ସହଜରେ ବହୁଳ ପରିମାଣରେ ମିଳିପାରିବ। ଏହି ସିଞ୍ଚନ ଯନ୍ତ୍ରକୁ ବାସୁଦେବପୁର ତହସିଲଦାର ସୌମ୍ୟଶ୍ରୀ ପାଣିଗ୍ରାହୀ ଦେଖିବା ସହ ଏହାର କାର୍ଯ୍ୟକାରିତା ଓ ଉପଯୋଗିତା ବିଷୟରେ ପଚାରି ବୁଝି ଯୁବକଦ୍ୱୟଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି। ଏହି ସିଞ୍ଚନ ଯନ୍ତ୍ରକୁ ସେ ଜନସାଧାରଣଙ୍କର ସେବା ପାଇଁ ବାସୁଦେବପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଦାନ କରିବେ ବୋଲି ସୂଚନା ଦେଇଛନ୍ତି। ଏହି ଯନ୍ତ୍ର ତିଆରି କରିବା ପାଇଁ ୧୦ହଜାର ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ୩ଦିନ ସମୟ ଲାଗିଛି। ଆଗକୁ ସରକାରଙ୍କ ତରଫରୁ ସହାୟତା ମିଳିଲେ ଏହି ଯନ୍ତ୍ରକୁ ଅଧିକ ଉନ୍ନତ କରିବା ପାଇଁ ଉଦ୍ୟମ କରିବେ ବୋଲି ସେମାନେ କହିଛନ୍ତି। ତାଜଉଦ୍ଦିନଙ୍କ ଶିକ୍ଷାଗତ ଯୋଗ୍ୟତା ମାଟ୍ରିକ। ସେ ପେଶାରେ ଜଣେ ଇଲେକ୍ଟ୍ରିକାଲ ମିସ୍ତ୍ରୀ।