ସଂକ୍ରମିତଙ୍କୁ ଚିକିତ୍ସା କରୁଥିବା ଡାକ୍ତର ୮ ଘଣ୍ଟାରୁ ଅଧିକ ସମୟ ପର୍ଯ୍ୟନ୍ତ ଯାଇପାରୁ ନାହାଁନ୍ତି ଶୌଚାଳୟ: ପିନ୍ଧୁଛନ୍ତି ଆଡଲ୍ଟ ଡାଏପର

ନୂଆଦିଲ୍ଲୀ,୨୩।୪: କରୋନା ସଂକ୍ରମିତଙ୍କ ଚିକିତ୍ସା ପାଇଁ ନିୟୋଜିତ ହୋଇଥିବା ଡାକ୍ତର ନିଜ ଜୀବନକୁ ତୁଛ ମଣି କାର୍ଯ୍ୟ କରୁଛନ୍ତି। ଏପରିସ୍ଥଳେ କେତେକ ସ୍ଥାନରେ ସେମାନଙ୍କୁ ସାଧାରଣ ଲୋକେ ମାଡ଼ ମାରୁଥିତ୍ବା, ଟେକାପଥର ଫିଙ୍ଗୁଥିବା ଭଳି ଘଟଣାମାନ ଘଟୁଛି। ତେବେ ଏହି କରୋନା ଯୋଦ୍ଧାଙ୍କ ଜୀବନ ଶୈଳୀ ସମ୍ପର୍କରେ ଜାଣିଲେ ଯେ କେହି ନିଶ୍ଚିତ ଦୁଃଖୀ ହୋଇଯିବେ। ସେମାନେ ବ୍ୟକ୍ତିଗତ ସୁରକ୍ଷା କିଟ୍‌(ପିପିଇ) ପିନ୍ଧିବା ପରେ ୮ ଘଣ୍ଟାରୁ ଅଧିକ ସମୟ ପର୍ଯ୍ୟନ୍ତ ଶୌଚାଳୟ ଯାଇପାରୁ ନାହାଁନ୍ତି। ପିପିଇକୁ ଥରେ ଖୋଲିଲେ ଏହା ନଷ୍ଟ ହୋଇଯାଇଥାଏ। ଏହାର ଦାମ ୧୦୦୦ ଟଙ୍କା ପାଖାପାଖି ହୋଇଥିବାରୁ ଡାକ୍ତର, ନର୍ସ ଏବଂ ସ୍ବାସ୍ଥ୍ୟକର୍ମୀ ଏହାକୁ ପିନ୍ଧି ନିରନ୍ତର କାମ କରିଥାନ୍ତି। କେହିକେହି ଏହାକୁ ବୁଲେଟ୍‌ ପ୍ରୁଫ୍‌ ଜ୍ୟାକେଟ ଭଳି ହୋଇଥିବା କହିଛନ୍ତି। ଏହାକୁ ପିନ୍ଧି ବିନା ଏସି ଏବଂ ଫ୍ୟାନ୍‌ ଲଗାଯାଇ ନ ଥିବା ସଂକ୍ରମିତଙ୍କ ଚିକିତ୍ସା କରିବା ଅତ୍ୟନ୍ତ କଷ୍ଟସାଧ୍ୟ। ଏହାକୁ ପିନ୍ଧିଲେ ପ୍ରବଳ ଗରମ ଅନୁଭବ ହୋଇ ଝାଳ ବୋହିଥାଏ। ଦୀର୍ଘ ସମୟ ଧରି ଶୌଚାଳୟ ଯାଇପାରୁ ନ ଥିବାରୁ ସେମାନେ ଆଡଲ୍ଟ ଡାଏପର ପିନ୍ଧିବାକୁ ବାଧ୍ୟ ହେଉଛନ୍ତି। ସେହିପରି ଘରକୁ ଗଲେ ପରିବାର ସଦସ୍ୟଙ୍କ ସଂକ୍ରମଣ ହେବା ଭୟରେ ଦିଲ୍ଲୀରେ ଡାକ୍ତର, ନର୍ସ, ସ୍ବାସ୍ଥ୍ୟକର୍ମୀଙ୍କୁ ଏକ ପଞ୍ଚତାରକା ହୋଟେଲର ରଖାଯାଇଛି ବୋଲି ଡାକ୍ତର ସୁମିତ କୁମାର ଏବଂ ଛବି ଗୁପ୍ତା ସୂଚନା ଦେଇଛନ୍ତି। କେତେକ ମାଲିକ ସଂକ୍ରମଣ ଭୟରେ କିଛି ଡାକ୍ତରଙ୍କୁ ଭଡ଼ା ଘର ଛାଡ଼ିବାକୁ କହୁଥିବା ହିନ୍ଦୁରାୟ ହସ୍ପିଟାଲର ଡାକ୍ତର ପୀୟୂଷ ସିଂ କହିଛନ୍ତି। ଆମେ ନିଜ ପରିବାର ଚିନ୍ତା ଛାଡ଼ି ଲୋକଙ୍କ ଚିକିତ୍ସା କରୁଥିବାବେଳେ କେତେକଙ୍କର ଏଭଳି ମନୋଭାବ ଆମକୁ ଆଘାତ ଦେଉଥିବା ସେ କହିଛନ୍ତି।

Share