ସଂକ୍ରମିତ ଦଳିତଙ୍କ ଏତଲା ରଖୁନି ପୋଲିସ: କାର୍ଯ୍ୟାନୁଷ୍ଠାନ ନେଇ ଡିସିପିଙ୍କ ଦ୍ୱାରସ୍ଥ

ପୁରୁଣା ଭୁବନେଶ୍ୱର, ୧ା୧୨ (ଡି.ଏନ.ଏ.) ଏଚଆଇଭି ସଂକ୍ରମିତଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ଓ ସେମାନଙ୍କ ପ୍ରତି ଅବିଚାର ନ ହେବା ନେଇ ଅନେକ ସରକାରୀ ଯୋଜନା ଲାଗୁ କରାଯାଉଛି। ଏଭଳିସ୍ଥଳେ ଲିଙ୍ଗରାଜ ଥାନା କର୍ତ୍ତୃପକ୍ଷଙ୍କ କ୍ଷେତ୍ରରେ ବ୍ୟତିକ୍ରମ ଦେଖାଦେଇଛି। ଡିସେମ୍ବର ୧ ବିଶ୍ୱ ଏଡ଼ସ୍‌ ଦିବସ ନିକଟତର ହେଉଥିବା ବେଳେ ଏଭଳି ଏକ ଘଟଣା ସରକାରୀ କର୍ମଚାରୀଙ୍କ ମନୋଭାବ ପଦାରେ ପକାଇଦେଇଛି। ୨୧ ତାରିଖରେ ଜନୈକ ଏଚଆଇଭି ଆକ୍ରାନ୍ତ ଦଳିତ ତଥା ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ବାରମ୍ବାର ଟଙ୍କା ଉଠାଣ ନିମନ୍ତେ ନ ଆସିବା କୁହାଯିବା ସହ ଦଳିତ ବୋଲି ଜାତିଆଣ ଆକ୍ଷେପ କରି ବ୍ୟାଙ୍କ ପରିସରରେ ଆକ୍ରମଣ କରାଯାଇଥିବା ନେଇ ଲିଙ୍ଗରାଜ ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୋଗ ଅନୁଯାୟୀ ବାରମ୍ବାର ଥାନାକୁ ଦୌଡ଼ିବା ପରେ ମାମଲା ରୁଜୁ କରିବା ବଦଳରେ ଓଲଟି ଘରୋଇ ବ୍ୟାଙ୍କ ଅଭିଯୋଗକାରୀଙ୍କ ବିରୋଧରେ ଭଙ୍ଗାରୁଜା କରିବା ତଥା ଅନ୍ୟ ଅଭିଯୋଗ କରାଯାଇଛି ବୋଲି ଦର୍ଶାଇ ତାଙ୍କୁ ଫେରାଇ ଦିଆଗଲା। ଏଣୁ ବାଧ୍ୟ ହୋଇ ଗୁରୁବାର ଅଭିଯୋଗକାରୀ ଡିସିପି ଭୁବନେଶ୍ୱରଙ୍କ କାର୍ଯ୍ୟାଳୟରେ ଲିଙ୍ଗରାଜ ଥାନାର ଏତାଦୃଶ ଅବହେଳା ବିଷୟରେ ଅବଗତ କରିଛନ୍ତି। ଏଥିସହ ବ୍ୟାଙ୍କ କର୍ମଚାରୀ ଓ ଘରୋଇ ବ୍ୟାଙ୍କ ବିରୋଧରେ ଦୃଢ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ଦାବି କରିଛନ୍ତି। ନ୍ୟାୟ ନ ପାଇଲେ ମାନସିକ ସ୍ତରରେ ଚାପଗ୍ରସ୍ତ ଥିବାରୁ ଏହି ଏଚଆଇଭି ଆକ୍ରାନ୍ତ ଜୀବନ ହାରିବେ ବୋଲି କହିଛନ୍ତି। ଏପରି ଦୁଃଖଦ ଘଟଣା ନେଇ ଓଡ଼ିଶା ରାଜ୍ୟ ଏଡ଼ସ୍‌ କଣ୍ଟ୍ରୋଲ ସୋସାଇଟିର ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ରାମଚନ୍ଦ୍ର ରାଉତ କହିଛନ୍ତି, ଏହି ଘଟଣା ଆମ ନଜରକୁ ଆସିନାହିଁ ତଥାପି ଡିସେମ୍ବର ବିଶ୍ୱ ଏଡସ୍‌ ଦିବସ ପରେ ଘଟଣାର ଅନୁସନ୍ଧାନ ସହ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନେଇ ଦୃଢ ପ୍ରତିଶ୍ରୁତି ଦେଇଥିଲେ। ଏହି ପରିପ୍ରେକ୍ଷୀରେ ଓଡ଼ିଶା ରାଜ୍ୟ ଏଡସ୍‌ କଣ୍ଟ୍ରୋଲ ସୋସାଇଟର ସହକାରୀ ନିର୍ଦ୍ଦେଶକ ଅଜୟ ପାତ୍ର କୁହନ୍ତି, ଏଚଆଇଭି ଆକ୍ରାନ୍ତକୁ ସମାଜରେ ସମ୍ମାନର ସହ ଜୀବନ ଜୀବିକା ନେଇ ଆମେ ପ୍ରତିଶ୍ରୁତିବଦ୍ଧ। ସାମାଜିକ ବାସନ୍ଦ ତଥା ଘୃଣା ଚକ୍ଷୁରେ ଦେଖିବା ଓ ଆକ୍ରମଣ ଇତ୍ୟାଦି ନେଇ ୨୦୧୭ ରୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ଓ ୩ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡାଦେଶ ବ୍ୟବସ୍ଥା କରାଯାଇଛି। ଏହି ବ୍ୟବସ୍ଥା ସହ ଆକ୍ରମଣ କରାଯାଇଥିବା ନେଇ ଅଭିଯୋଗ ଅନୁସାରେ ପୋଲିସ୍‌ ବିଭାଗ ତପତ୍ରତା ପ୍ରକାଶ କଲେ ଅଭିଯୋଗକାରୀଙ୍କୁ ନିଶ୍ଚିତ ନ୍ୟାୟ ମିଳିବ।

Share