ନୂଆଦିଲ୍ଲୀ: ସଂଖ୍ୟାଲଘୁ ଅଧିକାର ଦିବସ ପ୍ରତିବର୍ଷ ୧୮ ଡିସେମ୍ବରରେ ପାଳନ କରାଯାଉଛି। ଭାରତରେ ସଂଖ୍ୟାଲଘୁମାନଙ୍କର ଅଧିକାରକୁ ଲୋକଲୋଚନକୁ ଆଣିବା ସହ ଏସମ୍ପର୍କରେ ସଚେତନତା ସୃଷ୍ଟିକରିବା ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ। ସଂଖ୍ୟାଲଘୁମାନଙ୍କର ବିଭିନ୍ନ ସମସ୍ୟାକୁ ହୃଦୟଙ୍ଗମ କରିବା ସହ ସେମାନଙ୍କ ସୁରକ୍ଷା ଉପରେ ଦେଶର ସବୁ ରାଜ୍ୟ ଗୁରୁତ୍ୱ ଦେଇଥାନ୍ତି। ଏହି ଦିବସ ଅବସରରେ ଆଲୋଚନାଚକ୍ର, କାର୍ଯ୍ୟକ୍ରମ ତଥା ସଚେତନତା ଅଭିଯାନ ଆୟୋଜନ କରାଯାଇଥାଏ। କୌଣସି ରାଷ୍ଟ୍ରରେ ଯେଉଁମାନଙ୍କ ସଂଖ୍ୟା କମ୍ ଓ ସାମାଜିକ, ରାଜନୈତିକ, ଆର୍ଥିକ ରୂପରେ ଦୁର୍ବଳ ତଥା ଜାତି, ଧର୍ମ ଆଦିରେ ବହୁସଂଖ୍ୟକଠାରୁ ଅଲଗା ରହିଥିବା ସତ୍ତ୍ୱେ ରାଷ୍ଟ୍ର ନିର୍ମାଣ, ବିକାଶ, ଏକତା,ସଂସ୍କୃତି, ପରମ୍ପରା ଓ ରାଷ୍ଟ୍ରୀୟ ଭାଷାକୁ ବଜାୟ ରଖିବା ଲାଗି ମହତ୍ତ୍ୱପୂର୍ଣ୍ଣ ଯୋଗଦାନ ଦେଉଛନ୍ତି ସେମାନେ ହିଁ ସେହି ଦେଶ ବା ରାଜ୍ୟରେ ସଂଖ୍ୟାଲଘୁ ଭାବେ ପରିଗଣିତ। ଭାରତୀୟ ସମ୍ବିଧାନରେ ଧର୍ମ ଓ ଭାଷା ଆଧାରରେ ସଂଖ୍ୟାଲଘୁ ଗଣାଯାଉଛି। ଭାରତରେ ମୁସଲମାନ,ଶିଖ୍, ଖ୍ରୀଷ୍ଟିଆନ,ବୌଦ୍ଧ ଓ ଜୋରେଷ୍ଟିରିଆନ ଓ ଜୈନମାନେ ସଂଖ୍ୟାଲଘୁ ଭାବେ ରହିଛନ୍ତି। ଏମାନଙ୍କ ସଂଖ୍ୟା ଦେଶର ମୋଟ ଜନସଂଖ୍ୟାର ୧୯ ପ୍ରତିଶତ। ଜମ୍ମୁ-କଶ୍ମୀର, ପଞ୍ଜାବ,ମେଘାଳୟ, ମିଜୋରାମ, ନାଗାଲାଣ୍ଡ , ଲାକ୍ଷାଦ୍ୱୀପ, ଲଦାଖ ଓ ଅରୁଣାଚଳପ୍ରଦେଶରେ ଏମାନଙ୍କ ସଂଖ୍ୟା ଅଧିକ। ସଂଖ୍ୟାଲଘୁମାନଙ୍କ ବିକାଶ ହିଁ ଦେଶର ବିକାଶ। ସଂଖ୍ୟାଲଘୁମାନଙ୍କ ଏକତା ହିଁ ଦେଶର ଶକ୍ତି। ଏମାନଙ୍କର ବିକାଶ,ଆଇନ ତଥା ବିଭିନ୍ନ କଲ୍ୟାଣକାରୀ ଯୋଜନାକୁ କାର୍ଯ୍ୟକାରୀ କରିବାରେ ୨୯ ଜାନୁୟାରୀ ୨୦୦୬ରେ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରଣାଳୟ ପ୍ରତିଷ୍ଠା କରାଯାଇଥିଲା। ଏଥିପାଇଁ ଜାତୀୟ ସଂଖ୍ୟାଲଘୁ ଆୟୋଗ ଅଧିନିୟମ,୧୯୯୨ ଅଧୀନରେ ଗଠନ କରାଯାଇଛି ଜାତୀୟ ସଂଖ୍ୟାଲଘୁ କମିଶନ(ଏନ୍ସିଏମ୍)। ଏହା ସଂଖ୍ୟାଲଘୁମାନଙ୍କର ପ୍ରତିଟି ସମସ୍ୟା ସମାଧାନ କରିବା ତଥା ବିକାଶର ଧାରାକୁ ତ୍ୱରାନ୍ବିତ କରିବାରେ ପ୍ରମୁଖ ଭୂମିକା ନେଇଆସୁଛି। ସଂଖ୍ୟାଲଘୁମାନଙ୍କ ଅଧିକାରର ସୁରକ୍ଷା,ରାଷ୍ଟ୍ର ନିର୍ମାଣରେ ସେମାନଙ୍କ ଯୋଗଦାନକୁ ବିଚାରକୁ ନେଇ ଆଞ୍ଚଳିକ ସ୍ତରରେ ଭାଷା,ଜାତି, ଧର୍ମ, ସଂସ୍କୃତି, ପରମ୍ପରା ଆଦିର ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ୧୮ ଡିସେମ୍ବର ୧୯୯୨ରେ ଜାତିସଂଘ ଦ୍ୱାରା ଏହି ଦିବସ ପାଳନ କରାଯିବା ଲାଗି ଘୋଷଣା କରାଯାଇଥିଲା।