ସଂଗରୋଧ ଗୃହରୁ ଖସି ପଳାଇ ଘରେ ପହଞ୍ଚିଲେ ପ୍ରବାସୀ: ଗ୍ରାମବାସୀଙ୍କ ବିରୋଧ

ପଦ୍ମପୁର,(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ଜଗନ୍ନାଥପ୍ରସାଦ ପଞ୍ଚାୟତ ପାଟଣା ମିଶ୍ରପୁର ସଂଗରୋଧ ଗୃହରୁ ଜଣେ ବ୍ୟକ୍ତି ଖସି ପଳାଇ ନିଜ ଗ୍ରାମ ଜୟକୃଷ୍ଣପୁରରେ ପହଞ୍ଚିଛନ୍ତି। ସେ ହେଲେ ରମାକାନ୍ତ ସେଠୀ। ଏହାକୁ ଗ୍ରାମବାସୀ ବିରୋଧ କରିଛନ୍ତି।
ପ୍ରକାଶ ଯେ, ୧୬ ଦିନ ପୂର୍ବେ ରମାକାନ୍ତ କୋଲକାତାରୁ ଫେରି ସଂଗରୋଧ ଗୃହରେ ରହିଥିଲେ। ଗୁରୁବାର ରାତିରେ ସେ ନିଜ ପିକ୍‌ଅପ୍‌ ଗାଡ଼ିନେଇ ଗ୍ରାମକୁ ଯାଇ ନିଜ ଘରେ ରହିଛନ୍ତି। ଏହାକୁ ନେଇ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଛି। ଗ୍ରାମର ଭରତ ନାୟକ, ଲଷ୍ମୀଧର ବଳ, ମୁକ୍ତିକାନ୍ତ ଘଡ଼େଇ, ସନାତନ ଦାସ, ଗଣେଶ ମଳିକଙ୍କ ସମେତ ଅନ୍ୟ ଗ୍ରାମବାସୀ ଏହାକୁ ବିରୋଧ କରିଛନ୍ତି। ଏ ବାବଦରେ ସରପଞ୍ଚ ଓ ବିଡିଓଙ୍କ ପାଖରେ କୌଣସି ସୂଚନା ନ ଥିବା ଜଣାପଡ଼ିଛି। କିପରି ଓ କେଉଁ ପରିସ୍ଥିତିରେ ରମାକାନ୍ତ ସଂଗରୋଧ ଗୃହରୁ ବାହାରି ଗ୍ରାମରେ ପହଞ୍ଚିଲେ ତାହାର ତଦନ୍ତ କରିବା ସହ ପୁନଶ୍ଚ ତାଙ୍କୁ ସଙ୍ଗରୋଧକୁ ପଠାଇବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।