ସଂଘବଦ୍ଧ ଆକ୍ରମଣରେ ୬ ଗୁରୁତର

ଭୋଗରାଇ,୪।୫(ଡି.ଏନ୍‌.ଏ.)-ବାଲେଶ୍ୱର ଜିଲା ଭୋଗରାଇ ଥାନା ଅଧୀନ ମନ୍ଦାରସାହିପାଟଣା ୭ନଂ. ୱାର୍ଡ଼ରେ ରବିବାର ପଡ଼ୋଶୀଙ୍କ ସଂଘବଦ୍ଧ ଆକ୍ରମଣରେ ୬ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୨ ମହିଳା ଅଛନ୍ତି। ସେମାନଙ୍କୁ ଗାଁଲୋକେ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଜଳେଶ୍ୱରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ। ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ସମସ୍ତଙ୍କୁ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଭୋଗରାଇ ପୋଲିସ ଏହି ଘଟଣାରେ ପୃଥକ ଭାବେ ଦୁଇଟି ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି।
ଏହି ଗ୍ରାମର ଏକ ବ୍ୟକ୍ତିଗତ ସ୍ଥାନରେ ସରକାରୀ ନଳକୂପ ବସାଯାଇ ଉଦ୍‌ବୃତ୍ତ ପାଣି ରାସ୍ତା ଉପରକୁ ଛଡାଯାଉଥିବାରୁ କେତେକ ଗ୍ରାମବାସୀ ଏହାର ପ୍ରତିବାଦ କରିଆସୁଥିଲେ। ଏହି ସ୍ଥାନରେ ମସ୍‌ଜିଦ୍‌ ଥିବାରୁ ସେଠାରେ ପରିଷ୍କାର ପରିଚ୍ଛନ୍ନତା ପାଇଁ ଗାଁର ଲୋକେ ଉଦ୍‌ବୃତ୍ତ ପାଣିକୁ ସ୍ଥାୟୀ ଭାବେ ନିଷ୍କାସନ ପାଇଁ ଦାବି କରିଆସୁଥିଲେ ମଧ୍ୟ କେତେକ ବ୍ୟକ୍ତି ଏହାକୁ ବିରୋଧ କରିଥିଲେ। ଏଭଳି ସ୍ଥିତିରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇ ସଂଘବଦ୍ଧ ଆକ୍ରମଣ ହୋଇଥିଲା। ଗୋଷ୍ଠୀ ସଂଘର୍ଷରେ ପ୍ରତିପକ୍ଷ ଭାନୁ ସାହା, ଗୁଲୋ ବିବି, ମୀର ଏକ୍ରାମ୍‌, ହୋସେନ୍‌ ସାହା, ହାସମତ ସାହା ଓ ଫରିଦା ବିବିଙ୍କୁ ଖଣ୍ଡା, ଲୁହାରଡ଼, କଟୁରୀ ଆଦି ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ସେଠାରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବା ବେଳେ ନିୟନ୍ତ୍ରଣାଧୀନ ରହିଥିବା ପୋଲିସ କହିଛି।