ସଂଘବଦ୍ଧ ଆକ୍ରମଣ ମାମଲା : ୪ ଫେରାର ଅଭିଯୁକ୍ତ କୋର୍ଟଚାଲାଣ

ଦିଗପହଣ୍ଡି,୨୦ା୬(ଡି.ଏନ୍‌.ଏ.) : ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଚୁଡ଼ୁଙ୍ଗପୁର ଗ୍ରାମର ବଳରାମ ପାତ୍ର, ଭଗବାନ ପାତ୍ର, ଶଙ୍କର ପାତ୍ର ଓ କୃଷ୍ଣ ପାତ୍ରଙ୍କୁ ସଂଘବଦ୍ଧ ଆକ୍ରମଣ ମାମଲାରେ ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି। ପ୍ରକାଶଥାଉ କି, ଚୁଡୁଙ୍ଗପୁର ଗ୍ରାମରେ ଠାକୁରାଣୀ ଯାତ୍ରା ଚାଲିଥିବାବେଳେ କିଷାନ ଓରଫ ସନ୍ତୋଷ ପାତ୍ରଙ୍କ ସହ ଗତ ୧୦ ତାରିଖରେ ଅଭିଯୁକ୍ତମାନଙ୍କର ପାଟିତୁଣ୍ଡ ହୋଇଥିଲା। ୧୨ ତାରିଖ ରାତିରେ ସନ୍ତୋଷ ରଜକ ସାହି ଛକରେ ଶୋଇଥିବାବେଳେ ପୂର୍ବ ଯୋଜନା ଅନୁଯାୟୀ ଅଭିଯୁକ୍ତମାନେ ସଂଘବଦ୍ଧ ଆକ୍ରମଣ କରିଥିଲେ। କାତି ଚୋଟରେ ସନ୍ତୋଷ ଗୁରୁତର ହେବାରୁ ପରିବାର ଲୋକେ ତାଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲେ। ପରେ ସନ୍ତୋଷଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଥିଲା। ଏନେଇ ସନ୍ତୋଷଙ୍କ ମାଆ ଦିଗପହଣ୍ଡି ଥାନାରେ ଏତଲା ଦେଇଥିଲେ। ଆଇଆଇସି ଗୌରାଙ୍ଗ ଚରଣ ସାହୁ ଅଭିଯୁକ୍ତମାନଙ୍କ ନାମରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲେ। ଗିରଫ ଭୟରେ ଅଭିଯୁକ୍ତମାନେ ଫେରାର ଥିଲେ। ତେବେ ପୋଲିସ ଗାଁରେ ପହଞ୍ଚି ଅଭିଯୁକ୍ତମାନଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଆଉ ଜଣେ ଫେରାର ଥିବା ତଦନ୍ତକାରୀ ପୋଲିସ ଅଧିକାରୀ ଲାଚ୍ଛମେୟା ରେଡ୍ଡୀ ଜଣାଇଛନ୍ତି।

Share