ସଂଘର୍ଷରେ ଗଲାଣି ୨୨୦ ଜୀବନ

ବେଙ୍ଘାଜି,୨୨ା୪: ଲିବ୍ୟାରେ ରାଜନୈତିକ ସଙ୍କଟ ସୃଷ୍ଟି ହୋଇଛି। ଜାତିସଂଘ ସମର୍ଥତ୍ତ ସରକାରଙ୍କୁ କ୍ଷମତାଚ୍ୟୁତ କରି ରାଜଧାନୀ ତ୍ରିପୋଲିକୁ କବ୍‌ଜା କରିବା ଲାଗି ସରକାରୀ ସୈନ୍ୟବାହିନୀ ଓ ବିଦ୍ରୋହୀଙ୍କ ମଧ୍ୟରେ ଦୁଇ ସପ୍ତାହ ଧରି ସଂଘର୍ଷ ଲାଗି ରହିଛି। ଏଥିରେ ୨୨୦ ଜଣଙ୍କ ମୃତ୍ୟୁ ହେବା ସହ ୧୦୬୬ ଆହତ ହେଲେଣି। ପୂର୍ବ ତ୍ରିପୋଲିରେ ଫିଲ୍ଡ ମାର୍ଶାଲ ଖଲିଫା ଡିଫ୍‌ଟରଙ୍କ ନେତୃତ୍ୱରେ ଲିବ୍ୟା ଜାତୀୟ ସୈନ୍ୟବାହିନୀ (ଏଲ୍‌ଏନ୍‌ଏ) ଏବଂ ବିଦ୍ରୋହୀ ଲିବ୍ୟା ବାହିନୀ ମଧ୍ୟରେ ଗତ ୫ ତାରିଖରୁ ଏହି ସଂଘର୍ଷ ଜାରି ରହିଛି। ଜାତିସଂଘ ସମର୍ଥିତ ସରକାର ସହ ମେଣ୍ଟ କରିଥିବା ମିଲିସିଆମାନେ ଅଲଓ୍ବାତ୍ୟାର ଏୟାରବେସ୍‌ ଏବଂ ଘେରିଆନ୍‌ ସହରରେ ଆକାଶମାର୍ଗରୁ ବୋମାବର୍ଷଣ କରିଛନ୍ତି। ଜନବସତି ଅଞ୍ଚଳରେ ମଧ୍ୟ ସଂଘର୍ଷ ଜାରି ରହିଛି। ଉଭୟ ଗୋଷ୍ଠୀ ଭାରୀ ଅସ୍ତ୍ରଶସ୍ତ୍ର ବ୍ୟବହାର କରିବା ସହ ଆକାଶମାର୍ଗରୁ ଆକ୍ରମଣ କରୁଛନ୍ତି। ଆତଙ୍କବାଦ ବିରୋଧରେ ଲଢ଼େଇ କରୁଥିବା ନେତାମାନଙ୍କୁ ଆମେରିକାର ସମର୍ଥନ ଜାରି ରହିବ ବୋଲି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଫିଲ୍ଡ ମାର୍ଶାଲ ହିଫ୍‌ଟରଙ୍କୁ ଫୋନ ଯୋଗେ କହିଛନ୍ତି। ଅନ୍ୟପକ୍ଷରେ ସଂଘର୍ଷ ଲାଗି ରହିଥିବାବେଳେ ସହଯୋଗୀ ରାଷ୍ଟ୍ରଗୁଡିକ ନୀରବ ରହିଥିବାରୁ ଲିବ୍ୟା ପ୍ରଧାନମନ୍ତ୍ରୀ ଫୟେଜ୍‌ ଅଲ୍‌-ସେରା ଏହାର ନିନ୍ଦା କରିଛନ୍ତି। ସଂଘର୍ଷ ଲାଗି ରହିଥିବାରୁ ସୁରକ୍ଷାଗତ କାରଣରୁ ତ୍ରିପୋଲିକୁ ବିମାନ ଚଳାଚଳ ବନ୍ଦ କରିଦିଆଯାଇଛି। ଦୁଇଟି ବିମାନକୁ ମିଟିଗା ବିମାନ ବନ୍ଦରରୁ ପୂର୍ବରେ ଥିବା ମିସ୍ରାଟାକୁ ନିଆଯାଇଛି। ଲକ୍ଷାଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ତ୍ରିପୋଲିରେ ଥିବା ୫୦୦ରୁ ଊର୍ଦ୍ଧ୍ୱ ଭାରତୀୟଙ୍କୁ ତୁରନ୍ତ ପଳାଇ ଆସିବାକୁ ବହିର୍ବ୍ୟାପାର ମନ୍ତ୍ରୀ ସୁଷମା ସ୍ବରାଜ ଦୁଇ ଦିନ ତଳେ ଟ୍ବିଟ୍‌ କରି ପରାମର୍ଶ ଦେଇଥିଲେ। ସେଠାରେ ପରିସ୍ଥିତି ଦିନକୁ ଦିନ ଖରାପ ହେଉଛି। ବିମାନ ଚଳାଚଳ ବନ୍ଦ ହେବା ଆଶଙ୍କା କରି ଅଧିକ ଦିନ ସେଠାରେ ରହିଲେ ଆସିବା ସହଜ ହୋଇ ନ ପାରେ ବୋଲି ସୁଷମା କହିଥିଲେ।

Share