Categories: ଜାତୀୟ

ସଂରକ୍ଷଣ ଦାବି ମୌଳିକ ଅଧିକାର ନୁହେଁ

ନୂଆଦିଲ୍ଲୀ,୧୦ା୨(ପି.ଟି.): ସରକାରୀ ଚାକିରିରେ ସଂରକ୍ଷଣ ଦାବି ମୌଳିକ ଅଧିକାର ନୁହେଁ ବୋଲି ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ ସ୍ପଷ୍ଟ କରିଛନ୍ତି। ତେଣୁ ତଫସିଲଭୁକ୍ତ ଜାତି (ଏସ୍‌ସି) ଏବଂ ତଫସିଲଭୁକ୍ତ ଉପଜାତି (ଏସ୍‌ଟି) ବର୍ଗର ଲୋକଙ୍କୁ ନିଯୁକ୍ତି ଦେବା ପାଇଁ ରାଜ୍ୟ ସରକାରଙ୍କୁ କୌଣସି ଅଦାଲତ ନିର୍ଦ୍ଦେଶ ଦେଇପାରିବେ ନାହିଁ। ନିଯୁକ୍ତି କ୍ଷେତ୍ରରେ ସଂରକ୍ଷଣ ଦେବା ଅଧିକାର ଓ ଦାୟିତ୍ୱ ସମ୍ପୂର୍ଣ୍ଣ ଭାବେ ରାଜ୍ୟ ସରକାରଙ୍କର। ତେଣୁ କାହାକୁ ନିଯୁକ୍ତି ବା ପଦୋନ୍ନତି ଦିଆଯିବ ତାହା ସରକାରଙ୍କ ବିବେକ ଉପରେ ନିର୍ଭର କରେ। ତେବେ ରାଜ୍ୟ ସରକାର ଏହାକୁ ଲାଗୁ କରିବା ପାଇଁ ବାଧ୍ୟ ନୁହନ୍ତି ବୋଲି ଜଷ୍ଟିସ୍‌ ଏଲ୍‌. ନାଗେଶ୍ୱର ରାଓ ଏବଂ ହେମନ୍ତ ଗୁପ୍ତାଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁକ୍ରବାର ରାୟ ଦେଇଛନ୍ତି।
୨୦୧୨ ସେପ୍ଟେମ୍ବର ୫ରେ ଉତ୍ତରାଖଣ୍ଡ ସରକାର ଏକ ନିଷ୍ପତ୍ତି ନେଇଥିଲେ। ଏସ୍‌ସି-ଏସ୍‌ଟି ବର୍ଗର ଲୋକଙ୍କୁ ସଂରକ୍ଷଣ ନ ଦେଇ ରାଜ୍ୟରେ ଖାଲିଥିବା ସମସ୍ତ ସରକାରୀ ପଦବୀ ପୂରଣ କରିବା ଲାଗି ଏଥିରେ ପ୍ରସ୍ତାବ ରହିଥିଲା। ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା। ହାଇକୋର୍ଟ ଉକ୍ତ ନିଷ୍ପତ୍ତିକୁ ଖାରଜ କରିଦେବା ପରେ ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହାର ଶୁଣାଣି କରି ଖଣ୍ଡପୀଠ କହିଛନ୍ତି, ସମ୍ବିଧାନର ଅନୁଚ୍ଛେଦ ୧୬ (୪) ଏବଂ ୧୬ (୪-ଏ) ଏସ୍‌ସି-ଏସ୍‌ଟି ବର୍ଗର ଲୋକଙ୍କୁ ସଂରକ୍ଷଣ ଆଧାରରେ ନିଯୁକ୍ତି ଓ ପଦୋନ୍ନତି ଦେବା ନେଇ ଅଧିକାର ପ୍ରଦାନ କରିଛି। ତେଣୁ ସରକାରୀ ନିଯୁକ୍ତି କ୍ଷେତ୍ରରେ ସଂରକ୍ଷଣ ନେଇ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇ ପାରିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ଏହାସହ ଉତ୍ତରାଖଣ୍ଡ ସରକାରଙ୍କ ବିଜ୍ଞପ୍ତିକୁ ବଳବତ୍ତର ରଖି ହାଇକୋର୍ଟଙ୍କ ରାୟକୁ ପଲଟାଇଦେଇଛନ୍ତି।

Share