Categories: ଜାତୀୟ

ସଂରକ୍ଷଣ ରାୟକୁ ନେଇ ସରକାରଙ୍କୁ ଘେରିଲେ ବିରୋଧୀ

ନୂଆଦିଲ୍ଲୀ,୧୧ା୨(ପି.ଟି.): ନିଯୁକ୍ତି ଓ ପଦୋନ୍ନତି କ୍ଷେତ୍ରରେ ସଂରକ୍ଷଣ ସୁବିଧା ଦେବାକୁ ରାଜ୍ୟଗୁଡ଼ିକ ବାଧ୍ୟ ନୁହନ୍ତି ବୋଲି ସୁପ୍ରିମକୋର୍ଟ ରାୟ ଦେଇଥିବାବେଳେ ଏହାକୁ ନେଇ ବିରୋଧୀ ଦଳ ସରକାରଙ୍କୁ ସମାଲୋଚନା କରିଛନ୍ତି। ସଂରକ୍ଷଣ ବ୍ୟବସ୍ଥାକୁ କାଏମ ରଖିବାରେ ସରକାର ବିଫଳ ହୋଇଥିବା ଲୋକ ସଭାରେ ବିରୋଧୀ ସଦସ୍ୟମାନେ ଅଭିଯୋଗ କରିବା ପରେ ସରକାର ଏହାକୁ ଖଣ୍ଡନ କରିଛନ୍ତି। ମାମଲାରେ ସରକାର ପକ୍ଷ ନ ଥିଲେ ବୋଲି ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରୀ ଥାଓ୍ବରଚାନ୍ଦ ଗେହଲଟ କହିଛନ୍ତି। ଅନୁସୂଚିତ ଜାତି, ଜନଜାତି ଓ ପଛୁଆବର୍ଗଙ୍କ ନିମନ୍ତେ ସଂରକ୍ଷଣ ପାଇଁ କେନ୍ଦ୍ର ସରକାର ପ୍ରତିବଦ୍ଧ ଓ ଉତ୍ସର୍ଗୀକୃତ। ଉତ୍ତରାଖଣ୍ଡରେ କଂଗ୍ରେସ ସରକାର ବେଳେ କୋର୍ଟ ଏହି ରୁଲିଂ ଦେଇଥିଲେ ବୋଲି ମନ୍ତ୍ରୀ କହିବା ପରେ ବିରୋଧୀ ସଦସ୍ୟମାନେ କକ୍ଷତ୍ୟାଗ କରିଥିଲେ। ପ୍ରଶ୍ନୋତ୍ତର କାଳ ଆରମ୍ଭ ହେବାରୁ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀଙ୍କ ନେତୃତ୍ୱରେ ବିରୋଧୀମାନେ ପୁଣି ଥରେ ସଂରକ୍ଷଣ ପ୍ରସଙ୍ଗ ଉଠାଇଥିଲେ। ସମ୍ବେଦନଶୀଳ ପ୍ରସଙ୍ଗକୁ କଂଗ୍ରେସ ରାଜନୈତିକ ରୂପ ଦେବା ପାଇଁ ଉଦ୍ୟମ କରୁଛି ବୋଲି ପ୍ରତିରକ୍ଷା ମନ୍ତ୍ରୀ ତଥା ଗୃହର ଉପନେତା ରାଜନାଥ ସିଂ କହିଥିଲେ।

‘ଅଜ୍ଞ ଡାକ୍ତରଙ୍କ ହାତରେ ଅର୍ଥବ୍ୟବସ୍ଥା’
ଦେଶର ମାନ୍ଦାବସ୍ଥାକୁ ନେଇ କଂଗ୍ରେସ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମ ସରକାରଙ୍କୁ ସୋମବାର ଟାର୍ଗେଟ କରିଛନ୍ତି। ମାନ୍ଦାବସ୍ଥା ଲାଗି ମୋଦି ସରକାର ଦାୟୀ ବୋଲି ସେ ଆରୋପ ଲଗାଇଛନ୍ତି। ଏବେ ଦେଶର ଆର୍ଥିକ ସ୍ବାସ୍ଥ୍ୟାବସ୍ଥା ସୁଧାରିବାକୁ ଥିବା ଡାକ୍ତର ଏବଂ ବିଶେଷଜ୍ଞମାନେ ସମ୍ପୂର୍ଣ୍ଣ ଅଜ୍ଞ ବୋଲି ସେ ମତ ଦେଇଛନ୍ତି। ୨୦୨୦-୨୧ ସାଧାରଣ ବଜେଟ ଆଲୋଚନା ଅବସରରେ ସେ ରାଜ୍ୟ ସଭାରେ କହିଛନ୍ତି ଯେ, ବରୋଜଗାର ଏବଂ ଚାହିଦା କମିବା ଭଳି ସ୍ଥିତି ଦେଇ ଦେଶ ବର୍ତ୍ତମାନ ଗତି କରୁଛି। ଏଥିଯୋଗୁ ଗରିବୀ ମଧ୍ୟ ବୃଦ୍ଧି ଘଟୁଛି। ଦେଶର ଅର୍ଥ ବ୍ୟବସ୍ଥା ଆଇସିୟୁକୁ ଚାଲି ଯାଇଥିବା ପୂର୍ବତନ ସିଇଏ ଅରବିନ୍ଦ ସୁବ୍ରମଣ୍ୟନ କହିଥିଲେ। ଚିଦାରମ୍ବରମ କହିଛନ୍ତି ଅର୍ଥ ବ୍ୟବସ୍ଥାକୁ ସରକାର ଆଇସିୟୁ ବାହାରେ ରଖିଛନ୍ତି। ଏହାର ଦେଖାରଖା କରିବାକୁ ଥିବା ଡାକ୍ତରମାନେ ଅଜ୍ଞ ଥିବାରୁ ବିଭିନ୍ନ ସମସ୍ୟା ଉପୁଜିଛି।

Share