ସଂରକ୍ଷିତ ଜଙ୍ଗଲରେ ହାତୀ ଶାବକ ମୃତ

ନୂଆଗାଁ, ୧୭।୧୦ (ଡି.ଏନ୍‌.ଏ.)- ସୁନ୍ଦରଗଡ଼ ଜିଲା ନୂଆଗାଁ ବ୍ଲକ ବୀରମିତ୍ରପୁର ବନାଞ୍ଚଳ ଅନ୍ତର୍ଗତ ହାତୀବାରୀ ଧୁମାଗୁଡା ନିକଟସ୍ଥ ରାଣୀବଗିଚା ସଂରକ୍ଷିତ ଜଙ୍ଗଲରେ ଗୁରୁବାର ଏକ ହାତୀ ଶାବକର ମୃତ୍ୟୁ ଘଟିଛି। ଖବରପାଇ ବନବିଭାଗ କର୍ମଚାରୀ ପହଞ୍ଚତ୍ ହାତୀ ଶାବକର ମୃତଦେହ ଜବତ କରିଛନ୍ତି। ବ୍ୟବଚ୍ଛେଦ ପରେ ହାତୀ ଶାବକକୁ ପୋତାଯିବ ବୋଲି ବନାଞ୍ଚଳ ଅଧିକାରୀ ଆର.କେ. ଦାଶ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଧୁମାଗୁଡା ନିକଟସ୍ଥ ଜଙ୍ଗଲରେ ୪ଟି ବଣୁଆ ହାତୀ ଦୀର୍ଘ ମାସ ହେବ ରହିଥିଲେ। ସେହି ୪ ହାତୀ ସହିତ ଶାବକ ହାତୀ ଘୁରି ବୁଲୁଥିଲା। ହେଲେ ହାତୀ -ହାତୀ ଲଢ଼େଇ ଯୋଗୁ ଶାବକ ମୃତ୍ୟୁବରଣ କରିଥାଇ ପାରେ ବୋଲି ଦାଶ ପ୍ରକାଶ କରିଛନ୍ତି। ସକାଳେ ଖବରପାଇ ବନାଞ୍ଚଳ ଅଧିକାରୀ ଆର.କେ. ଦାଶଙ୍କ ସହ ପାନପୋଷ ଏସିଏଫ୍‌ (ଅତିରିକ୍ତ ବନସଂରକ୍ଷକ) ପ୍ରତାପ କତପାରି, ବୀରମିତ୍ରପୁର ଫରେଷ୍ଟର ମଧୁସୂଦନ ପଟ୍ଟନାୟକ, ହାତୀବାରି ଫରେଷ୍ଟର ବିଜୟ କାହ୍ଲାର, ରେଞ୍ଜର ନୂତନ କୁମାର ହେମ୍ରମ ପ୍ରମୁଖ ଘଟଣା ସ୍ଥଳକୁ ଯାଇଥିଲେ। ହାତୀ ଶାବକର ମୃତ୍ୟୁ ଘଟଣାରେ ରାଉରକେଲା ବନଖଣ୍ଡ ଅଧିକାରୀ (ଡି.ଏଫ୍‌.ଓ.) କେତେଜଣ ବନକର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ବନାଞ୍ଚଳ ଅଧିକାରୀ ଆର.କେ. ଦାଶଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି।