ସଂଶୋଧନ ହେଲା ଏନ୍‌ଏଚ୍‌ ଫି ରୁଲ: ଫାସଟାଗ ବୈଧ ନ ଥିଲେ ଗାଡିମାଲିକ ଗଣିବେ ୨ ଗୁଣା ଟିକସ

ଭୁବନେଶ୍ୱର,୧୭ା୫(ବ୍ୟୁରୋ)-ଫାସଟାଗ ନ ଥିବା, ବୈଧ ନ ଥିବା କିମ୍ବା ଅକାମି ହୋଇଯାଇଥିବା ଫାସଟାଗ ଗାଡିମାଲିକମାନେ ସାବଧାନ। ଫାସଟାଗ ନ ଥାଇ କିମ୍ବା ଅବୈଧ ଫାସଟାଗ ଥାଇ ଯଦି କୌଣସି ଯାନବାହନ ଟୋଲ ପ୍ଲାଜାର ଫାସଟାଗ ଲେନ ଦେଇ ଯିବା ଆସିବା କରିବେ ସେମାନଙ୍କୁ ଦୁଇଗୁଣା ଟୋଲ ଫି ଦେବାକୁ ପଡିବ। ଅର୍ଥାତ ଦୁଇଥର ଯିବା ଆସିବାର ଟିକସ ଭରଣା କରିବାକୁ ପଡିବ। ଏ ନେଇ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, କେନ୍ଦ୍ର ସରକାର ଜାତୀୟ ରାଜପଥ ଫି(ମୂଲ୍ୟ ନିର୍ଦ୍ଧାରଣ ଓ ଆଦାୟ) ରୁଲ-୨୦୦୮କୁ ସଂଶୋଧନ କରିଛନ୍ତି। ଏହି ସଂଶୋଧନ ପରେ ଫାସଟାଗ ନ ଥିବା କିମ୍ବା ଏହାର ଅବଧି ଶେଷ ହେବା ପରେ ଫାସଟାଗ ଲେନରେ ଯାନବାହନ ନେଲେ ଦୁଇଗୁଣା ଟୋଲ ଫି ଦେବାକୁ ହେବ। ପୂର୍ବରୁ ଥରେ ମାତ୍ର ଯିବା ଆସିବା ଫି ଦେବାକୁ ପଡୁଥିଲା। ଅନେକ ଯାନବାହନ ଫାସଟାଗ ବୈଧ ଥାଇ କିମ୍ବା ନବୀକରଣ ନ କରି ଫାସଟାଗ ଲେନରେ ଯାଉଛନ୍ତି। ଏହାଦ୍ୱାରା ସମସ୍ୟା ସୃଷ୍ଟି ହେଉଛି। ଏହାକୁ ରୋକିବା ଲାଗି ନିୟମ ଉଲ୍ଲଂଘନକାରୀଙ୍କ ଠାରୁ ବଡ ଆକାରରେ ଜରିମାନା ଆଦାୟ କରାଯିବାକୁ ନିଷ୍ପତି ହୋଇଛି।

Share