ସଂଶୋଧିତ ମୋଟର ଯାନ ଆଇନ: ୧୦ଦିନରେ କଟିଲା ୨୩ ହଜାର ଚାଲାଣ

କଟକ ଅଫିସ,୧୨ା୩: ଓଡ଼ିଶାରେ ସଂଶୋଧିତ ମୋଟରଯାନ ଆଇନ ମାର୍ଚ୍ଚ ପହିଲାରୁ କଡ଼ାକଡ଼ି ଲାଗୁ କରାଯାଇଛି। ରାଜ୍ୟବ୍ୟାପୀ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ(ଆର୍‌ଟିଓ) ଏବଂ ପୋଲିସ ତରଫରୁ ବ୍ୟାପକ ଯାଞ୍ଚ ଏବଂ ଜରିମାନା ଆଦାୟ କରାଯାଉଛି। ରାଜ୍ୟ ପରିବହନ ପ୍ରାଧିକରଣ(ଏସ୍‌ଟିଏ) ତରଫରୁ ମିଳିଥିବା ସୂଚନା ଅନୁଯାୟୀ, ମାର୍ଚ୍ଚ ପହିଲାରୁ ୧୦ତାରିଖ ଭିତରେ ସାରା ରାଜ୍ୟରେ ୨୩ହଜାର ୧୯ଟି ଚାଲାଣ କଟାଯାଇଛି। ସେଥିରୁ ଆର୍‌ଟିଓଗୁଡ଼ିକ ତରଫରୁ ୧୦ହଜାର ୭୯୪ ଚାଲାଣ ରହିଛି। ଏଥିରୁ ୧୩୪୦ ଚାଲାଣ ଦ୍ରୁତଗତିରେ ଗାଡ଼ି ଚଳାଇବା ପାଇଁ କଟାଯାଇଥିବାବେଳେ ଗାଡି ଚଳାଇବା ସମୟରେ ମୋବାଇଲ୍‌ ଫୋନ୍‌ ବ୍ୟବହାର ପାଇଁ ୧୮୭, ବିପରୀତ ଦିଗରେ ଗାଡ଼ି ଚାଳନା ପାଇଁ ୧୪୮, ମଦ୍ୟ ପାନକରି ଗାଡ଼ି ଚଳାଇବା ପାଇଁ ୧୨୫, ସିଟ୍‌ ବେଲ୍ଟ ନ ପିନ୍ଧିବା ପାଇଁ ୫୫୨, ବାଇକ୍‌ରେ ତିନି ଜଣ ବସିଥିବା ଯୋଗୁ ୨୪୭, ହେଲମେଟ ବିନା ଗାଡ଼ି ଚଳାଇବା ପାଇଁ ୪୫୧୧ ଏବଂ ନାବାଳକମାନେ ଗାଡ଼ି ଚଳାଇବା ଯୋଗୁ ୧୦ଟି ଚାଲାଣ କଟିଛି। ମୋଟ ଚାଲାଣ ଭିତରୁ ଗଞ୍ଜାମ ଆର୍‌ଟିଓ ପକ୍ଷରୁ ସର୍ବାଧିକ ୧୩୧୪ଟି ଚାଲାଣ କଟିଥିବା ବେଳେ ସମ୍ବଲପୁର ଆର୍‌ଟିଓ ପକ୍ଷରୁ ୧୦୬୮, ବାଲେଶ୍ୱର ଆର୍‌ଟିଓ ପକ୍ଷରୁ ୮୭୦, ଭୁବନେଶ୍ୱର ଆର୍‌ଟିଓ (୧ ଏବଂ ୨) ପକ୍ଷରୁ ୭୭୩ ଏବଂ କୋରାପୁଟ ଆର୍‌ଟିଓ ପକ୍ଷରୁ ୪୬୫ଟି ଚାଲାଣ ରହିଛି।
ଅନ୍ୟପକ୍ଷରେ ପୋଲିସ ପକ୍ଷରୁ ୧୨ହଜାର ୨୨୫ଟି ଚାଲାଣ କଟାଯାଇଛି। ଏଥିରୁ ଦ୍ରୁତଗତିରେ ଗାଡ଼ି ଚଳାଇବା ପାଇଁ ୪୨୧, ମୋବାଇଲ୍‌ ଫୋନ୍‌ ବ୍ୟବହାର ପାଇଁ ୧୨୮, ବିପରୀତ ଦିଗରେ ଗାଡ଼ି ଚଳାଇବା ପାଇଁ ୬, ସିଟ୍‌ ବେଲ୍ଟ ନ ବାନ୍ଧି ଗାଡି ଚଳାଇବା ପାଇଁ ୧୫୦୯, ତିନି ଜଣ ବାଇକ୍‌ରେ ବସିଥିବା ଯୋଗୁ ୩୭୧ ଏବଂ ହେଲମେଟ ବିନା ଗାଡି ଚଳାଇବା ପାଇଁ ୫୩୫୫ ଚାଲାଣ କଟାଯାଇଛି। ଆର୍‌ଟିଓ ଏବଂ ପୋଲିସ ତରଫରୁ କେତେ ଟଙ୍କାର ଜରିମାନା ଆଦାୟ ହୋଇଛି, ସେନେଇ ଏସ୍‌ଟିଏ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ।

Share