Categories: ଜାତୀୟ

ସଂସଦୀୟ ଦଳ ବୈଠକରେ ମୋଦିଙ୍କ କଡ଼ା ସନ୍ଦେଶ: ଅହଂକାର, ଦୁର୍ବ୍ୟବହାର ବରଦାସ୍ତ କରାଯିବନି

ନୂଆଦିଲ୍ଲୀ,୩ା୭ (ପି.ଟି.): ସରକାରୀ ଅଧିକାରୀଙ୍କୁ ଭାଜପା ନେତା କୈଳାସ ବିଜୟଭର୍ଗୀୟଙ୍କ ବିଧାୟକ ପୁଅ କ୍ରିକେଟ୍‌ ବ୍ୟାଟ୍‌ରେ ପିଟିବା ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁହଁ ଖୋଲି କଡ଼ା ସନ୍ଦେଶ ଦେଇଛନ୍ତି। ଭାଜପା ସଂସଦୀୟ ଦଳ ବୈଠକରେ ସେ କହିଛନ୍ତି ଯେ, ସେ ଯାହା ପୁଅ ହେଇଥାନ୍ତୁ ପଛେ ଅହଂକାର ଓ ଦୁର୍ବ୍ୟବହାରକୁ କେବେହେଲେ ବରଦାସ୍ତ କରାଯାଇ ପାରିବ ନାହିଁ। ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ। ଯିଏ ଯାହା ଚାହିଁବ କରିପାରିବ ନାହିଁ। ମୋଦିଙ୍କ ଏହି କଡା ଆଭିମୁଖ୍ୟବେଳେ ନିଜେ ଭାଜପା ସାଧାରଣ ସମ୍ପାଦକ ବିଜୟଭର୍ଗୀୟ ବୈଠକରେ ଉପସ୍ଥିତ ଥିଲେ।
କଡ଼ା ଆଭିମୁଖ୍ୟକୁ ନେଇ ଭାଜପା ମୁଖପାତ୍ର ରାଜୀବ ପ୍ରତାପ ରୁଡ଼ୀ ମଧ୍ୟ ସମାନ କଥା ଦୋହରାଇଛନ୍ତି। ଖବରଦାତାଙ୍କ ପ୍ରଶ୍ନର ଉତ୍ତର ସେ ମାପିଚୁପି କହିଛନ୍ତି ଯେ, ଏଭଳି ବ୍ୟବହାର କୌଣସି ବ୍ୟକ୍ତି କଲେ, ତାଙ୍କ ବିରୋଧରେ କଠୋର ପଦକ୍ଷେପ ଗ୍ରହଣ କରାଯିବ। ପ୍ରକାଶଥାଉ କି, ବିଜୟଭର୍ଗୀୟଙ୍କ ପୁଅ ଏଭଳି କାମ କରି କ୍ଷମା ମାଗିବାର ପ୍ରଶ୍ନ ଉଠୁନାହିଁ ବୋଲି କହିଥିଲେ। ସେ ଗିରଫ ହେବା ପରେ କୋର୍ଟରୁ ଜାମିନ୍‌ରେ ଆସିଥିଲେ।
ଭାଜପାର ଜବରଦସ୍ତ ବିଜୟ ପରେ ପ୍ରଥମ ସଂସଦୀୟ ଦଳ ବୈଠକରେ ମୋଦିଙ୍କୁ ବରିଷ୍ଠ ନେତାମାନେ ସମ୍ବର୍ଦ୍ଧିତ କରିଥିଲେ। ଜୁଲାଇ ୬ରୁ ବାରାଣସୀରୁ ମୋଦି ଭାଜପାର ସଦସ୍ୟ ସଂଗ୍ରହ ଅଭିଯାନ ଆରମ୍ଭ କରିବେ ବୋଲି ସ୍ଥିର କରାଯାଇଛି। ବୈଠକରେ ସଂସଦରେ ସମସ୍ତ ଦଳୀୟ ନେତା ଉପସ୍ଥିତ ରହି ଅଧିବେଶନ କାର୍ଯ୍ୟ ସଫଳ କରିବା ଲାଗି ପରାମର୍ଶ ଦିଆଯାଇଛି।

Share