ସଂସାର ଉଜାଡ଼ିଲା ସ୍ବାମୀ:ମେଡିକାଲ ଯିବା ପୂର୍ବରୁ ସ୍ତ୍ରୀଙ୍କୁ ହତ୍ୟା

ରାସୋଳ,୨୦ା୮(ଡି.ଏନ.ଏ.)କିଡ୍‌ନୀ ରୋଗରେ ପୀଡ଼ିତ ସ୍ବାମୀଙ୍କୁ ବଞ୍ଚାଇବାକୁ ଟଙ୍କା ଯୋଗାଡ଼ କରୁଥିବା ସ୍ତ୍ରୀକୁ ହାଣି ହତ୍ୟା କରିଛି ସ୍ବାମୀ। ଢେଙ୍କାନାଳ ଜିଲା ରାସୋଳ ଥାନା ଅଞ୍ଚଳରେ ସୋମବାର ଘଟିଛି ଏପରି ଏକ ଅଭାବନୀୟ ଘଟଣା। ମାନସିକ ଭାରସାମ୍ୟ ହରାଇ ଭୋର୍‌ ସମୟରେ ରୋଗଗ୍ରସ୍ତ ସ୍ବାମୀ ଏହି ହତ୍ୟାକାଣ୍ଡ ଘଟାଇଥିବା ପୋଲିସ ସୂଚନା ଦେଇଛି। ତେବେ ଆକ୍ରମଣରୁ ବର୍ତ୍ତିଯାଇଛନ୍ତି ୯ ବର୍ଷର ଝିଅ ଓ ୫ ବର୍ଷର ପୁଅ। ଉଭୟ ଏବେ ଜେଜେମା’ଙ୍କ ନିକଟରେ ଥିବା ବେଳେ ପୋଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କରିଛି।
ଘଟଣାରୁ ଜଣାପଡିଛି, ରାସୋଳ ଥାନା କାରନ୍ଦା ପଞ୍ଚାୟତ ମାନିଆନାଳି ଗ୍ରାମର ପ୍ରଦୀପ ରାଉତ ୩ ବର୍ଷ ହେଲା କିଡନୀ ରୋଗରେ ପୀଡିତ ଥିଲେ। ତାଙ୍କର ୨ଟି କିଡ୍‌ନୀ ଖରାପ ହୋଇଯାଇଥିବାରୁ ସେ କଟକ ଯାଇ ଚିକିତ୍ସିତ ହେଉଥିଲେ। ଶ୍ରମିକ ଭାବେ କାମ କରୁଥିବା ପ୍ରଦୀପ ରୋଗଗ୍ରସ୍ତ ହେବା ପରେ ସ୍ତ୍ରୀ ଭାରତୀ କଷ୍ଟେମଷ୍ଟେ ପରିବାର ଚଳାଇବା ସହ ସ୍ବାମୀଙ୍କୁ ଭଲ କରିବାକୁ ଅର୍ଥ ଯୋଗାଡ କରୁଥିଲେ। ତେବେ ଅର୍ଥାଭାବ, ପିଲାଙ୍କ ପାଠପଢ଼ା ଓ ବିଧବା ମା’ଙ୍କ ଭରଣପୋଷଣ ଚିନ୍ତା ଯୋଗୁ ୪/୫ ଦିନ ହେବ ପ୍ରଦୀପଙ୍କ ମାନସିକ ଅବସ୍ଥା ବିଗିଡ଼ି ଯାଇଥିଲା। ସୋମବାର କଟକ ମେଡିକାଲ ଯିବାକୁ ଭାରତୀ ଟଙ୍କା ଯୋଗାଡ଼ରେ ଥିବା ବେଳେ ଭୋର୍‌ ସମୟରେ ହଠାତ୍‌ ପ୍ରଦୀପ ଏକ ଟାଙ୍ଗିଆରେ ତାଙ୍କୁ ଆକ୍ରମଣ କରିଥିଲେ। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଏହା ଦେଖି ଝିଅ ଚିତ୍କାର କରିବା ସହ ଗାଁ ଲୋକଙ୍କୁ ଡାକି ଆଣିବାରୁ ପ୍ରଦୀପଙ୍କୁ କାବୁ କରାଯାଇଥିବା ଗ୍ରାମବାସୀ ସୂଚନା ଦେଇଛନ୍ତି। ପୋଲିସ ପ୍ରଦୀପଙ୍କୁ ଗିରଫ କରିବା ସହ ମୃତଦେହ ଓ ହତ୍ୟାରେ ବ୍ୟବହୃତ ଟାଙ୍ଗିଆ ଜବତ କରିଛି। ଢେଙ୍କାନାଳ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚି ତଦନ୍ତ କରିଛି। ଏ ସଂକ୍ରାନ୍ତରେ ଭାରତୀଙ୍କ ଭାଇ ଗୋବିନ୍ଦ ସାହୁ ଥାନାରେ ଅଭିଯୋଗ କରିବା ପରେ ପୋଲିସ ନଂ. ୯୬/୧୯ରେ ଏକ ମାମଲା ରୁଜୁ କରିଛି। ପାରିବାରିକ ସମସ୍ୟା, ଅର୍ଥାଭାବ ଆଦି ଯୋଗୁ ପ୍ରଦୀପ ମାନସିକ ଭାରସାମ୍ୟ ହରାଇ ଏପରି କରିଥିବା ପାରିପାର୍ଶ୍ୱିକ ସ୍ଥିତି ଓ ପ୍ରାଥମିକ ତଦନ୍ତରୁ ଜଣାପଡିଛି ବୋଲି ଆଇଆଇସି ଜ୍ଞାନ ରଞ୍ଜନ ସାମଲ କହିଛନ୍ତି।