ସଂସ୍କୃତି ମନ୍ତ୍ରଣାଳୟ ଫେଲୋଶିପ୍‌ରେ ୨ ନୂଆ ଭାଷା ସାମିଲ: ସାନ୍ତାଳୀ ଭାଷାରେ ମିଳିବ ଫେଲୋଶିପ୍‌

ଭୁବନେଶ୍ୱର,୩୧ା୭(ବ୍ୟୁରୋ):କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ଏଣିକି ସାନ୍ତାଳୀ ଓ ନେପାଳୀ ଭାଷାରେ ଫେଲୋଶିପ୍‌ ତଥା ସ୍କଲାରଶିପ୍‌ ପ୍ରଦାନ କରିବ। ମଙ୍ଗଳବାର କେନ୍ଦ୍ର ସଂସ୍କୃତି ରାଷ୍ଟ୍ରମନ୍ତ୍ରୀ ପ୍ରହଲାଦ ସିଂ ପଟେଲ ଏନେଇ ଘୋଷଣା କରିଛନ୍ତି। ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ପ୍ରଦାନ କରାଯାଉଥିବା ଫେଲୋଶିପ୍‌ ସମ୍ବିଧାନର ଅଷ୍ଟମ ଅନୁସୂଚୀରେ ସାମିଲ ଥିବା ଭାଷାଗୁଡ଼ିକରେ ପ୍ରଦାନ କରାଯାଇଥାଏ। ହେଲେ ନେପାଳୀ ଓ ସାନ୍ତାନ୍ତୀ ଭାଷା ସମ୍ବିଧାନର ଅନୁସୂଚୀରେ ସାମିଲ ଥିଲେ ମଧ୍ୟ ପୂର୍ବରୁ ଏଥିରେ ଫେଲୋଶିପ୍‌ ପ୍ରଦାନ କରାଯାଉ ନ ଥିଲା। ଏବେ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକ୍ରମେ ସଂସ୍କୃତି କ୍ଷେତ୍ରରେ ଅସାଧାରଣ ପ୍ରତିଭାସମ୍ପନ୍ନ କଳାକାରଙ୍କୁ ଉଭୟ ଭାଷାରେ ସିନିୟର୍‌ ଏବଂ ଜୁନିୟର୍‌ ଫେଲୋଶିପ୍‌ ପ୍ରଦାନ କରାଯିବ। ଯୋଜନା ଅନ୍ତର୍ଗତ ‘ସାହିତ୍ୟ’ କ୍ଷେତ୍ରର ଉପକ୍ଷେତ୍ରରେ ଏହି ଦୁଇଟି ଭାଷାକୁ ସାମିଲ କରାଯିବ। ଏହାବ୍ୟତୀତ ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ କଳାକାର, ସାହିତି୍ୟକ ଓ ଗବେଷକମାନଙ୍କୁ ପ୍ରଦାନ କରାଯାଉଥିବା ସମସ୍ତ ପ୍ରକାର ଫେଲୋଶିପ୍‌ ଓ ସ୍କଲାରଶିପ୍‌ରେ ଏହି ଦୁଇ ଭାଷାକୁ ଅନ୍ତର୍ଭୁକ୍ତ କରାଯିବ। ଗବେଷଣା ସଂକ୍ରାନ୍ତ ପ୍ରକଳ୍ପ ଲାଗି ଏହି ଫେଲୋଶିପ୍‌ ପ୍ରଦାନ କରାଯାଉଥିବାରୁ ଏହାଦ୍ୱାରା ସାନ୍ତାଳୀ ଭାଷାରେ ଅଧିକରୁ ଅଧିକ ଗବେଷଣା ହେବା ସହିତ ଗବେଷକମାନେ ଗବେଷଣା ପାଇଁ ଆଗ୍ରହ ଦେଖାଇବେ ବୋଲି କୁହାଯାଇଛି।
ଦ୍ୱାରକାସ୍ଥିତ ସେଣ୍ଟର୍‌ ଫର୍‌ କଲ୍‌ଚରାଲ ରିସୋର୍ସେସ୍‌ ଆଣ୍ଡ୍‌ ଟ୍ରେନିଂ(ସିସିଆର୍‌ଟି) ଏହି ଫେଲୋଶିପ୍‌ କାର୍ଯ୍ୟକ୍ରମର ଚୟନ ପ୍ରକ୍ରିୟା ଲାଗି ନୋଡାଲ ଏଜେନ୍ସି ଭାବେ କାର୍ଯ୍ୟ କରିବ। ଏହି ଯୋଜନାରେ ‘ଲିଟେରାରି ଆର୍ଟ’ ଏକ ବିଷୟବସ୍ତୁ ହୋଇଥିବାବେଳେ ଏହାର ଉପବିଭାଗ ବା ସବ୍‌-ଫିଲ୍‌ଡରେ ଜଣେ ୨୨ଟି ଭାଷାରେ ଗବେଷଣା ଲାଗି ଆବେଦନ କରିପାରିବ। ଏହି ଭାଷା ମଧ୍ୟରେ ଭାରତୀୟ ସମ୍ବିଧାନର ଧାରା ୩୪୪(୧) ଏବଂ ଧାରା ୨୫୧ର ଅଷ୍ଟମ ଅନୁସୂଚୀରେ ସାମିଲ ଥିବା ୨୦ଟି ଭାଷା ଯଥା ଓଡ଼ିଆ, ପଞ୍ଜାବୀ, ଅହମିୟା, ବଙ୍ଗଳା, ବୋଡୋ, ଡୋଗ୍ରୀ, ଗୁଜରାଟୀ, ହିନ୍ଦୀ, କନ୍ନଡ଼, କାଶ୍ମିରୀ, କୋଙ୍କଣୀ, ମୈଥିଳୀ, ମାଲାୟାଲମ୍‌, ମଣିପୁରୀ, ମରାଠୀ, ସଂସ୍କୃତ, ସିନ୍ଧୀ, ତାମିଲ୍‌, ତେଲୁଗୁ ଓ ଉର୍ଦ୍ଦୁ ରହିଛି। ଏହାସହ ଅନ୍ୟଦୁଇଟି ଭାଷା ମଧ୍ୟରେ ଇଂଲିଶ ଓ ଖାସୀ ଭାଷା ରହିଛି। ସାନ୍ତାଳୀ ଭାଷା ଓଡ଼ିଶାର ଅନ୍ୟତମ ପ୍ରମୁଖ ଭାଷା। ବିଶେଷକରି ପଶ୍ଚିମ ଓ ଉତ୍ତର ଓଡ଼ିଶାରେ ଅଧିକ ବ୍ୟବହୃତ ହୋଇଥାଏ। ଓଡ଼ିଶାରୁ ବହୁ କବି ଓ ଗବେଷକ ଏହି ଭାଷାରେ ପାରଦର୍ଶିତା ଲାଭ କରିଥିବାବେଳେ ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ଖ୍ୟାତି ଅର୍ଜନ କରିଛନ୍ତି।

Share