Categories: ଜାତୀୟ

ସଂସ୍କୃତ କହିଲେ ହେବନାହିଁ ଡାଇବେଟିସ-କୋଲେଷ୍ଟରଲ: ଭାଜପା ନେତା

ନୂଆଦିଲ୍ଲୀ,୧୩।୧୨: ଭାରତୀୟ ଜନତା ପାର୍ଟି(ଭାଜପା) ଏମ୍‌ପି ଗଣେଶ ସିଂ ଏମିତି ଏକ ବୟାନ ଦେଇଛନ୍ତି ଯାହା ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି। ମଧ୍ୟ ପ୍ରଦେଶର ସତନା ଆସନରୁ ଏମ୍‌ପି ଥିବା ଶ୍ରୀ ସିଂ କହିଛନ୍ତି ନିୟମିତ ସଂସ୍କୃତ ଭାଷା କହିଲେ ଡାଇବେଟିସ ଓ କୋଲେଷ୍ଟରଲଠାରୁ ଜଣେ ବ୍ୟକ୍ତି ଦୂରେଇ ରହିପାରିବ। ସଂସ୍କୃତ ୟୁନିଭର୍ସିଟିକୁ ନେଇ ଆସିବାକୁ ଥିବା ବିଲ୍‌କୁ ନେଇ ସେ ଏପରି କହିଛନ୍ତି। ଏହାସହ ସେ ଆମେରିକାର ଏକ ସଂସ୍ଥା ଦ୍ୱାରା ଏହି ଗବେଷଣା କରାଯାଇଥିବା ମଧ୍ୟ କହିଛନ୍ତି। ସେ ଆହୁରି ମଧ୍ୟ ଆମେରିକାର ମହାକାଶ ଗବେଷଣା ସଂସ୍ଥା ‘ନାସା’ର ଆଧାରରେ କହିଛନ୍ତି ଯଦି କମ୍ପ୍ୟୁଟର ପ୍ରୋଗ୍ରାମିଂ ସଂସ୍କୃତରେ କରାଯାଏ ତାହା ମଧ୍ୟ କାମ କରିବାକୁ ସହଜ ହେବ। ତାଙ୍କ ମତରେ ବିଶ୍ୱର ପ୍ରାୟ ୯୭ ପ୍ରତିଶତ ଭାଷାର ମୂଳ ହେଉଛି ସଂସ୍କୃତ। ଭାଜପା ଏମ୍‌ପିଙ୍କର ଏହି ବୟାନ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବା ସହ ଟ୍ରୋଲ ମଧ୍ୟ ହେଉଛି। କେତେଜଣ ୟୁଜର୍ସ ତାଙ୍କୁ ବୁଝି ସୁଝି କହିବାକୁ ଉପଦେଶ ଦେଇଛନ୍ତି। ସୂଚନାଯୋଗ୍ୟ, କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ମଧ୍ୟ ଅନେକ ସମୟରେ ସଂସଦରେ ସଂସ୍କୃତରେ କଥା ହୋଇଥାଆନ୍ତି। ସେ କୁହନ୍ତି ଇଂରାଜୀ ଭାଷାର ଅନେକ ଶବ୍ଦ ସଂସ୍କୃତରୁ ଆସିଛି। ଏହାସହ ପ୍ରାଚୀନ ଭାଷାର ପ୍ରଚାର ପ୍ରସାର କଲେ ଅନ୍ୟ ଭାଷା ଉପରେ କୌଣସି ପ୍ରଭାବ ପଡିବ ନାହିଁ।

Share