ଜୟପୁର,୧୫।୭: ଶିକ୍ଷାର କୌଣସି ଧର୍ମ ନାହିଁ। ଏହା ଅଜ୍ଞାନ ରୂପକ ଅନ୍ଧକାର ଦୂର କରି ଜ୍ଞାନର ଜ୍ୟୋତି ଜଳାଇଥାଏ। ଏହାର ଉଦାହରଣ ପାଲଟିଛି ରାଜସ୍ଥାନ ଜୟପୁରରେ ଥିବା ୬ଟି ସଂସ୍କୃତ ସ୍କୁଲ୍। ଏଠାରେ ମୁସଲମାନ୍ ଛାତ୍ରୀଛାତ୍ରମାନେ ପାଠ ପଢୁଛନ୍ତି। ପାଠ ପଢ଼ାରେ ସମୟରେ ସେମାନେ ସଂସ୍କୃତର ବିଭିନ୍ନ ଶ୍ଲୋକ ଅଧ୍ୟୟନ କରିବା ସହିି ଗାୟତ୍ରୀ ମନ୍ତ୍ରୋଚ୍ଚାରଣ ଶିଖୁଛନ୍ତି। ସକାଳେ ମଦ୍ରାସାରେ ଉର୍ଦ୍ଦୁ ଭାଷା ଶିକ୍ଷା କରିବା ସହିତ ସେମାନେ କୋରାନ୍ ପାଠ କରୁଛନ୍ତି। ଏହାପରେ ସଂସ୍କୃତ ସ୍କୁଲକୁ ପଢ଼ିବାକୁ ଆସୁଛନ୍ତି। ଏକ ନିଆରା ଉଦାହରଣ ସୃଷ୍ଟି କରିଥିବା ଏହି ସ୍କୁଲଗୁଡ଼ିକ ଏବେ ଚର୍ଚ୍ଚାରେ ରହିଛନ୍ତି। ଛାତ୍ରୀଛାତ୍ର ଦ୍ୱାଦଶ ପର୍ଯ୍ୟନ୍ତ ସଂସ୍କୃତରେ ପାଠପଢ଼ିବା ପରେ ମହାରାଜା ସଂସ୍କୃତ କଲେଜରେ ଜ୍ୟୋତିଷ, ଧର୍ମଶାସ୍ତ୍ର, ବେଦ, ଯଜ୍ଞ ସମ୍ପର୍କିତ ଜ୍ଞାନ, କର୍ମକାଣ୍ଡ ଆଦି ବିଷୟରେ ଅଧ୍ୟୟନ କରୁଛନ୍ତି। ଏଠାକାର ରାଜକୀୟ ପ୍ରବେଶିକା ସଂସ୍କୃତ ସ୍କୁଲରେ ପାଠପଢୁଥିବା ୨୭୪ ଛାତ୍ରୀଛାତ୍ରଙ୍କ ମଧ୍ୟରୁ ୨୫୦ ଜଣ ମୁସଲମାନ୍। ସେହିପରି ରାଜକୀୟ ଉଚ୍ଚ ପ୍ରାଥମିକ ସଂସ୍କୃତ ସ୍କୁଲର ସମସ୍ତ ୪୪୭ ଛାତ୍ରୀଛାତ୍ର ମୁସଲମାନ୍। ରାଜକୀୟ ମହାରାଜ ବରିଷ୍ଠ ସଂସ୍କୃତ ସ୍କୁଲର ୧୩୪ ଛାତ୍ରୀଛାତ୍ରଙ୍କ ମଧ୍ୟରୁ ୫୩ ଜଣ ମୁସଲମାନ୍। ସେହିପରି ଶ୍ରୀ ଖାଣ୍ଡଳ ବିପ୍ର ବରିଷ୍ଠତା ଉପାଧ୍ୟାୟ ସଂସ୍କୃତ ସ୍କୁଲର ୯୦ ଛାତ୍ରୀଛାତ୍ରଙ୍କ ମଧ୍ୟରୁ ୩୦ ଜଣ ମୁସଲମାନ୍ ଥିବା କୁହାଯାଉଛି।