ସକଳେଶ୍ୱର ହାଇସ୍କୁଲ ତାଲା ପକାଇଲେ ଛାତ୍ରୀଛାତ୍ର, ଅଭିଭାବକ

ଖଲ୍ଲିକୋଟ,୩ା୭(ଡି.ଏନ.ଏ.)-ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ବିକ୍ରମପୁର ଗ୍ରାମରେ ଥିବା ସକଳେଶ୍ୱର ହାଇସ୍କୁଲରେ ଶିକ୍ଷକ ନିଯୁକ୍ତି ଦାବିରେ ଛାତ୍ରୀଛାତ୍ର ଓ ଅଭିଭାବକ ତାଲା ପକାଇ ଧାରଣା ଦେଇଥିଲେ । ଏହି ବିଦ୍ୟାଳୟରେ ନବମ ଓ ଦଶମ ଶ୍ରେଣୀରେ ୧୨୦ ଛାତ୍ରୀଛାତ୍ର ଅଧ୍ୟୟନ କରନ୍ତି। ଏଠାରେ ଦୁଇଜଣ ବିଜ୍ଞାନ ଶିକ୍ଷକ, ଦୁଇଜଣ ଆର୍ଟସ ଶିକ୍ଷକ, ଜଣେ ହିନ୍ଦୀ ଓ ଆଉ ଜଣେ ସଂସ୍କୃତ ଓ ପିଇଟି ଏପରି ସାତଜଣ ଶିକ୍ଷକ ରହିବା କଥା ା କିନ୍ତୁ ଜଣେ ଦାୟିତ୍ୱରେ ଥିବା ପ୍ରଧାନ ଶିକ୍ଷକ, ଜଣେ ବିଜ୍ଞାନ ଶିକ୍ଷକ ଓ ଜଣେ ଆର୍ଟସ୍‌ ଶିକ୍ଷକ ଅଛନ୍ତି। ଫଳରେ ପିଲାଙ୍କ ପାଠପଢ଼ାରେ ସମସ୍ୟା ଦେଖାଦେଉଛି। ଶିକ୍ଷକ ନିଯୁକ୍ତି ଦାବିରେ ସୋମବାରରୁ ବିଦ୍ୟାଳୟରେ ତାଲା ପକାଇ ଧାରଣା ଦେଇଛନ୍ତି ଛାତ୍ରୀଛାତ୍ର ଓ ଅଭିଭାବକ। ଦାବି ପୂରଣ ହେବା ଯାଏ ଏହା ଚାଲୁରହିବ ବୋଲି ଏମାନେ ପ୍ରକାଶ କରିଛନ୍ତି। ପ୍ରଧାନ ଶିକ୍ଷକ ପ୍ରିୟଦର୍ଶନ ଶବରଙ୍କଠାରୁ ଖବର ପାଇ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ମଙ୍ଗୁଳି ଚରଣ ଜେନା, ସିଆରସିସି ମାଗତା ନାହାକ ପହଞ୍ଚତ୍ ଧାରଣାରତ ଅଭିଭାବକ ଓ ଛାତ୍ରୀଛାତ୍ରଙ୍କ ସହ ଆଲୋଚନା କରି ଲିଖିତ ଅଭିଯୋଗ କରିବା ପାଇଁ ବୁଝାଇଥିଲେ। ଦାବି ପୂରଣ ନ ହେବା ଯାଏ ଧାରଣା ଜାରି ରହିବ ବୋଲି ଅଭିଭାବକମାନେ ପ୍ରକାଶ କରିଥିଲେ । ମଙ୍ଗଳବାର ତହସିଲଦାରଙ୍କ ନିର୍ଦ୍ଦେଶକ୍ରମେ କେଶପୁର ଆରଆଇ ପ୍ରଦୀପ କୁମାର ଦାସ ପହଞ୍ଚତ୍ ବୁଝାଶୁଝା କରିଥିଲେ ସୁଦ୍ଧା ସେମାନେ ହଟି ନ ଥିଲେ । ଜିଲା ପ୍ରଶାସନ ତୁରନ୍ତ ଶିକ୍ଷକ ନିଯୁକ୍ତି କରିବା ପାଇଁ ବିକ୍ରମପୁର ପଞ୍ଚାୟତ ଜନସାଧାରଣ ଦାବି କରିଛନ୍ତି ।

Share