ସକାରାତ୍ମକ ମାନସିକତା ଓ କାର୍ଯ୍ୟଦକ୍ଷତା

ଆଜିକାଲିର ବ୍ୟସ୍ତମୟ ଜୀବନରେ ନିଜର ମାନସିକତାକୁ ସକାରାତ୍ମକ ରଖିବା ସହଜ ନୁହେଁ। ତଥାପି କେତେକେ ଏଥିପ୍ରତି ସଚେତନ ଥିବା ବେଳେ ଅଧିକାଂଶ ଟେନ୍‌ସନ ଏବଂ ଅବସାଦରୁ ମୁକୁଳିବାର ବାଟ ଖୋଜିଥାଆନ୍ତି। ମାନସିକତା ଯଦି ନକାରାତ୍ମକ ରହେ ତେବେ ଏହାର ପ୍ରଭାବ ଜୀବନଶୈଳୀ ଉପରେ ପଡ଼ିଥାଏ। ଏହା ମନକୁ ଚିନ୍ତାଗ୍ରସ୍ତ କରିବା ସହ କାର୍ଯ୍ୟ ପ୍ରତି ଅରୁଚି ଭାବ ସୃଷ୍ଟି କରିଥାଏ। ତେବେ ମନକୁ କିପରି ସକାରାତ୍ମକ ପରିବେଶରେ ରଖିବେ ତାହାର କେତୋଟି ସରଳ ଉପାୟ ରହିଛି। କୌଣସି ସମସ୍ୟାର ସମ୍ମୁଖୀନ ହେଲେ ସେଥିରେ ବ୍ୟତିବ୍ୟସ୍ତ ନ ହୋଇ ତାହାର ସମାଧାନ କରିବାକୁ ଚେଷ୍ଟା କରନ୍ତୁ। ନିଜର ସାମର୍ଥ୍ୟ ଅନୁସାରେ କାମ କରନ୍ତୁ। ଅଯଥା ଗୁଡ଼ାଏ କାମକୁ ଆବୋରି ବସି ତାହାକୁ ତୁଲାଇ ନ ପାରିଲେ ମନ ଭାରାକ୍ରାନ୍ତ ଲାଗିବା ସ୍ବାଭାବିକ। ତେଣୁ ସବୁବେଳେ ଯୋଜନାବଦ୍ଧ ଭାବରେ କାମ କଲେ ମନ ସକାରାତ୍ମକ ରହିଥାଏ। ଯେତେ ସମ୍ଭବ ନିଜକୁ ଖୁସିର ମାହୋଲ ଭିତରେ ରଖିବାକୁ ଚେଷ୍ଟା କରନ୍ତୁ। ଏହାଦ୍ୱାରା କାର୍ଯ୍ୟଦକ୍ଷତା ବୃଦ୍ଧି ପାଇଥାଏ ।