ସକାଳୁଆ ଆସୁନାହାନ୍ତି କର୍ମଚାରୀ

ହାଟଡିହୀ, ୧।୬(ଡି.ଏନ.ଏ.)-କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ବିଭିନ୍ନ ସରକାରୀ ଅଫିସକୁ କର୍ମଚାରୀ ମାନେ ସକାଳୁ ଆସିବାର ନିୟମ ଥିଲେ ବି ତାହା ଏଠାରେ ପାଳନ ହେଉ ନ ଥିବା ଦେଖିବାକୁ ମିଳୁଛି। କର୍ମଚାରୀ ମାନେ ସକାଳ ୭ଟାରେ ଅଫିସ ଆସିବା କଥା। କିନ୍ତୁ କେହି କେହି ଦିନ ୯ଟାରେ ଆସୁଥିବା ବେଳେ ଆଉ କିଏ ଦିନ ୧୦ଟାରେ ଆସୁଥିବା ଦେଖାଯାଇଛି। ହାଟଡିହୀ ତହସିଲରେ ଏପରି ଉଦାହରଣ ଏବେ ନଜରକୁ ଆସିଛି। ସକାଳୁ କେବଳ ଅଫିସ ତାଲା ଖୋଲାଯାଇଥିବା ବେଳେ କୌଣସି କର୍ମଚାରୀଙ୍କୁ ଦେଖାମିଳି ନ ଥାଏ। ଚେୟାର ଟେବୁଲ ଫାଙ୍କା ପଡ଼ିଥାଏ। ମାତ୍ର ଦୁଇ ତିନି ଜଣ ତଳ ଶ୍ରେଣୀର କର୍ମଚାରୀଙ୍କୁ ଛାଡ଼ିଦେଲେ ଅଫିସରେ ଅନ୍ୟ କର୍ମଚାରୀମାନେ ଅନୁପସ୍ଥିତ ରହୁଛନ୍ତି। ସେହିପରି ହାଟଡିହୀ ବ୍ଲକକୁ ଲକ୍ଷ୍ୟ କଲେ ବିଡିଓ ଓ ଅନ୍ୟ ୩ ରୁ ଚାରି କର୍ମଚାରୀଙ୍କୁ ସକାଳୁଆ ଅଫିସରେ ଦେଖିବାକୁ ମିଳୁଛି। ଅନ୍ୟ ସରକାରୀ କର୍ମଚାରୀ ମାନଙ୍କର ଦେଖାନଥାଏ। ମନ ଇଚ୍ଛା କର୍ମଚାରୀମାନେ ବହୁ ବିଳମ୍ବରେ ଆସିଥାନ୍ତି। କର୍ମଚାରୀମାନେ ବିଳମ୍ବରେ ଆସିବାକୁ ନେଇ ବ୍ଲକ ବିଡିଓ ସୁଶାନ୍ତ ବାରିକ ଏକାଧିକ ଥର ମଧ୍ୟ ଅସନ୍ତୋଷ ବ୍ୟକ୍ତ କରିଥିବା ବେଳେ କର୍ମଚାରୀମାନଙ୍କୁ ଠିକ ସମୟରେ ଆସିବା ପାଇଁ ତାଗିଦ ମଧ୍ୟ କରିଛନ୍ତି। ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ବ୍ଲକ, ତହସିଲ କର୍ମଚାରୀ ମାନେ ଅଫିସକୁ ଆସୁଛନ୍ତି କି ନାହିଁ ସେ ନେଇ ଏକ ଇ-ଉପସ୍ଥାନ ମେଶିିନ ଲଗାଯାଇଛି। କର୍ମଚାରୀମାନେ ଅଫିସକୁ ଆସିଲେ ପ୍ରଥମେ ନିଜର ଆଙ୍ଗୁଳି ଟିପ ଚିହ୍ନ ଏହି ମେଶିନରେ ଛୁଇଁବେ। ଫଳରେ କର୍ମଚାରୀମାନେ ଅଫିସରେ ଉପସ୍ଥିତ ଅଛନ୍ତି ବୋଲି ସ୍ପଷ୍ଟ ହୁଏ। ଯାହା ଦ୍ୱାରା କି କର୍ମଚାରୀମାନେ ଆଉ ଅନୁପସ୍ଥିତ ରହିବା ମହଙ୍ଗା ହୋଇଥାଏ। କିନ୍ତୁ ବ୍ଲକ ଓ ତହସିଲରେ ଲାଗିଥିବା ଇ-ଉପସ୍ଥାନ ମେଶିନ ଏବେ ଅକାମୀ। ବ୍ଲକ ତହସିଲ କାନ୍ଥରେ ଇ-ଉପସ୍ଥାନ ମେଶିନର ଖୋଳ ଝୁଲୁଛି। କିନ୍ତୁ ଖୋଳ ଭିତରେ ମେଶିିନ ନାହିଁ। ଏପରି ପରିସ୍ଥିତି ଯୋଗୁ କର୍ମଚାରୀ ମାନେ ମନମୁଖୀ ଶାସନରେ ଅଫିସକୁ ଯିବା ଆସିବା କରୁଥିବା ସହଜ ହେଉଛି। ଜିଲାପାଳ ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେବାକୁ ଦାବି ହେଉଛି।