Advertisement
Categories: Homeକଟକ

ସକାଳ ୬ରୁ ଅପରାହ୍ନ ୧ ଯାଏ ଖୋଲିବ ଦୋକାନ

କଟକ ଅଫିସ୍‌,୨୯ା୪: କଟକ ଜିଲାରେ କରୋନା ସ୍ଥିତିର ସମୀକ୍ଷା ପରେ ଜିଲାପାଳ ଭବାନୀ ଶଙ୍କର ଚୟନୀ ଜିଲାରେ କେଉଁ ବ୍ୟବସାୟିକ ପ୍ରତିଷ୍ଠାନ ଖୋଲିବ ଏବଂ କେଉଁଟା ଖୋଲିବ ନାହିଁ, ସେନେଇ ବିଜ୍ଞପ୍ତି ଜାରି କରିଛନ୍ତି। ଯେଉଁ ସବୁ ଦୋକାନ ଖୋଲିବ, ସେଠାରେ କେବଳ ୫୦ ପ୍ରତିଶତ କର୍ମଚାରୀ କାର୍ଯ୍ୟ କରିବେ। ଏଥିସହ ସାମାଜିକ ଦୂରତା ଓ ସ୍ବଚ୍ଛତାକୁ ଗୁରୁତ୍ୱ ଦିଆଯିବ । ସମସ୍ତେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ। ସେହିଭଳି ଦୋକାନ କେବଳ ସକାଳ ୬ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ହିଁ ଖୋଲାଯାଇପାରିବ। ଖୋଲିବାକୁ ଥିବା ଦୋକାନ ଗୁଡିକ ହେଲା, ପାଥୋଲ୍ୟାବ, ଡାଇଗ୍ନୋଷ୍ଟିକ୍‌ ସେଣ୍ଟର୍‌, ରାଶନ୍‌, ବେକେରି, ପାଉଁରୁଟି, ପରିମଳ ସାମଗ୍ରୀ ସହିତ ଅତ୍ୟାବଶ୍ୟକ ବ୍ୟବହାର ସାମଗ୍ରୀ, ପନିପରିବା, ଆମିଷ, ଫଳ, ଅଣ୍ଡା, ପଶୁ ଖାଦ୍ୟ, ବହି ଦୋକାନ, ଗ୍ୟାସ୍‌ ଏଜେନ୍ସି ଏବଂ ପରିବହନ, କୃଷି ଉପକରଣ ମରାମତି, ଫ୍ୟାନ୍‌ ଏବଂ ବଲ୍‌ବ ଓ ଅନ୍ୟାନ୍ୟ ବୈଦ୍ୟୁତିକ ଉପକରଣ ମରାମତି ଦୋକାନ, ମୋବାଇଲ୍‌ ରିଚାର୍ଜ ସେଣ୍ଟର୍‌, ସାଇକେଲ୍‌ ମରାମତି ଦୋକାନ ଏବଂ ଏହାର ଅତିରିକ୍ତ ଅଂଶ, କୃଷିଜାତ ଦ୍ରବ୍ୟ ବିକ୍ରି, ଦୁଗ୍ଧ ଏବଂ ଦୁଗ୍ଧଜାତ ଦ୍ରବ୍ୟ, ଚଷମା, ଔଷଧ, ପେଟ୍ରୋଲ୍‌ ପମ୍ପ, ରାଜପଥ କଡ଼ ଢ଼ାବା, ରେଷ୍ଟୁରାଣ୍ଟ ଏବଂ ଗ୍ୟାରେଜ୍‌ ଖୋଲା ରହିବ। ଅନ୍ୟପକ୍ଷରେ ଚା ଷ୍ଟଲ୍‌, ଖାଦ୍ୟ ଷ୍ଟଲ୍‌, ଅଳଙ୍କାର, ବିୟୁଟି ପାର୍ଲର, ସେଲୁନ୍‌, ଜିମ୍‌, ଫାଷ୍ଟଫୁଡ୍‌, ମଲ୍ଟି ବ୍ରାଣ୍ଡ ଏବଂ ସିଙ୍ଗଲ୍‌ ବ୍ରାଣ୍ଡ୍‌ ମଲ୍‌, ପାନ୍‌, ତମାଖୁ, ଗୁଟ୍‌ଖା, ଚୁଇଙ୍ଗମ୍‌ ଏବଂ ଛେପ ପକାଇବାକୁ ପ୍ରୋତ୍ସାହିତ କରୁଥିବା ଅନ୍ୟାନ୍ୟ ସାମଗ୍ରୀ ବିକ୍ରି ଦୋକାନ ବନ୍ଦ ରହିବ। ସମସ୍ତ ଅନୁମତିପ୍ରାପ୍ତ ଦୋକାନଗୁଡିକ ହୋମ ଡେଲିଭେରିକୁ ପ୍ରାଧାନ୍ୟ ଦେବେ। ବାଇକ୍‌ରେ କେବଳ ଜଣେ ହିଁ ଯାତ୍ରା କରିପାରିବେ ବୋଲି ନିର୍ଦ୍ଦେଶରେ କୁହାଯାଇଛି। ଉପରୋକ୍ତ ନିର୍ଦ୍ଦେଶକୁ ଅବମାନନା କଲେ ଆଇନ୍‌ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲାପାଳ ଚୟନୀ କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share