ସକାଳ ୬ ରୁ ଦିନ୧ଟା ପର୍ଯ୍ୟନ୍ତ ଖୋଲିବ ପରିବା ଓ ଗ୍ରୋସରୀ ଦୋକାନ: ବାଇକ୍ ଓ ଚାରିଚକିଆ ଗାଡ଼ି ଉପରେ ରୋକ

ଭଦ୍ରକ ଅଫିସ,୭।୪ – ଏଣିକି ହାଟ, ପରିବା ମାର୍କେଟ୍ ଓ ଗ୍ରୋସେରୀ ଦୋକାନକୁ ଲୋକେ ଚାଲି ଚାଲି ଯିବେ । ବାଇକ୍ ଓ ଚାରିଚକିଆ ଧରି ମାର୍କେଟ୍‌କୁ ଗଲେ ପୋଲିିସ ଗାଡ଼ି ଜବତ କରିବା ସହ ଆଇନ ଉଲ୍ଲଙ୍ଘନକାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବ ବୋଲି ପ୍ରଶାସନ ପକ୍ଷରୁ ଚରମବାଣୀ ଜାରି କରାଯାଇଛି । ସୂଚନା ଥାଉକି ରବିବାର ରାତି ୮ଟାରେ ୪୮ ଘଂଟିଆ ଶଟ୍ ଡାଉନ ସରିବା ପରେ ସୋମବାର ସକାଳେ ଭଦ୍ରକର କଚେରି ବଜାର ତଥା ଅନ୍ୟାନ୍ୟ ପରିବା ବଜାରରେ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳିଥିଲା । ହଜାର ହଜାର ଲୋକ ପରିବା ଓ ଗ୍ରୋସରୀ ସାମଗ୍ରୀ କିଣିବା ପାଇଁ ବାଇକ୍ ଧରି ବଜାରରେ ଭିଡ଼ ଲଗାଇଥିଲେ । ପ୍ରଶାସନ ପକ୍ଷରୁ ସାମାଜିକ ଦୂରତ୍ୱକୁ ନେଇ ଜାରି କରାଯାଇଥିବା କଟକଣା ଫେଲ ମାରିଥିଲା । ଭିଡ଼ ନିୟନ୍ତ୍ରଣ ପାଇଁ ପୋଲିସ ଓ ପ୍ରଶାସନ ନାକେଦମ୍ ହେବାକୁ ପଡ଼ିଥିଲା । ଏପରିକି ଏହି ସମୟରେ ସାମାଜିକ ଦୂରତ୍ୱ ଆଇନକୁ ଉଲ୍ଲଙ୍ଘନ କରିଥିବା ୮ ଜଣ ବ୍ୟବସାୟୀ ଓ ୨୧ ଜଣ ଆଇନ ଉଲ୍ଲଙ୍ଘନକାରୀଙ୍କୁ ପୋଲିସକୁ ଗିରଫ କରିବାକୁ ପଡ଼ିଥିଲା । ଫଳରେ ଜିଲାପାଳ ଡ. ଜ୍ଞାନ ରଞ୍ଜନ ଦାସ ସୋମବାର ମଧ୍ୟାହ୍ନରେ ଉପରୋକ୍ତ କଟକଣା ଜାରି କରିଛନ୍ତି । ପରିବା ବଜାର, ହାଟ ଓ ଗ୍ରୋସରୀ ଦୋକାନ ସକାଳ ୬ ରୁ ୧୦ଟା ପରିବର୍ତେ ମଧ୍ୟାହ୍ନ ୧ ପର୍ଯ୍ୟନ୍ତ ଖୋଲା ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସ୍ଥାୟୀ ଫଳ ଦୋକାନ, କ୍ଷୀର ଦୋକାନ ସକାଳୁ ୬ ରୁ ୧୦ଟା ପର୍ଯ୍ୟନ୍ତ ଖୋଲା ରହିବ ବୋଲି କୁହାଯାଇଛି । ଗ୍ରୋସରୀ ସାମଗ୍ରୀ ଘରେ ପହଂଚାଇବା ପାଇଁ ଚିହ୍ନଟ ଦୋକାନୀଙ୍କୁ ସକାଳ ୬ରୁ ରାତି ୧୦ଟା ପର୍ଯ୍ୟନ୍ତ ସମୟ ଦିଆଯାଇଛି । ଏହି ନିୟମ ଉଲ୍ଲଙ୍ଘନ କଲେ ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ନିଆଯିବ ବୋଲି ଏସ୍‌ପି ରାଜେଶ ପଣ୍ଡିତ ସୂଚନା ଦେଇଛନ୍ତି ।

Share