Categories: ଗଞ୍ଜାମ

ସକ୍ରିୟ ହେଉଛି ମାନବ ଚାଲାଣ ର଼୍ୟାକେଟ :୩ ଜିଲାରେ ୩୦୦ ପିଲାଙ୍କ ଖୋଜ୍‌ଖବର ମିଳୁନି

ବ୍ରହ୍ମପୁର ଅଫିସ,୩୧ା୫-ଗଞ୍ଜାମ, ଗଜପତି ଓ କନ୍ଧମାଳ ଜିଲାରେ ମାନବ ଚାଲାଣ ର଼୍ୟାକେଟ ଏବେ ସକ୍ରିୟ ରହିଛନ୍ତି। ଏହାକୁ ରୋକିବା ପାଇଁ ଉଦ୍ୟମ କରାଯାଉଛି। କିନ୍ତୁ ଏଥିନିମନ୍ତେ ଠିକ୍‌ ପଦକ୍ଷେପ ନିଆଯାଇପାରୁ ନ ଥିବା ବିଭିନ୍ନ ମହଲରେ ଅଭିଯୋଗ ହେଉଛି। ଫଳରେ ନାବାଳିକା ଉଭାନ ହେବା, ଯୁବତୀଙ୍କୁ ଅର୍ଥଲୋଭ ଦେଖାଇ ବିବାହ କରିବା ଆଳରେ ଅନ୍ୟ ରାଜ୍ୟରେ ବିକ୍ରି କରିବା, ବିଭିନ୍ନ କମ୍ପାନୀରେ କାମ ଯୋଗାଇ ଦେବା ନଁାରେ ଯୁବତୀମାନଙ୍କୁ ଦେଶାନ୍ତର କରିବା, ନାବାଳିକା ଓ ନାବାଳକଙ୍କୁ ବାଳ ଶ୍ରମିକ ଭାବେ କାର୍ଯ୍ୟରେ ଲଗାଇବା ପାଇଁ ଚାଲାଣ କରାଯାଉଥିବା ଘଟଣା ଉପରେ ଅଙ୍କୁଶ ଲଗାଯାଇ ପାରୁନାହିଁ। ମାନବ ଚାଲାଣ ପ୍ରକ୍ରିୟା ଉପରେ ନଜର ରଖିଥିବା ସଂସ୍ଥା ପକ୍ଷରୁ ଜଣାଯାଏ ଉପରୋକ୍ତ ଜିଲାଗୁଡିକରେ ଏହି କ୍ଷେତ୍ରରେ ସର୍ବନିମ୍ନ ମାପଦଣ୍ଡ ଠିକ୍‌ ଭାବେ କାମ କରୁନାହିଁ। ଅନେକ ସମୟରେ ଅଦାଲତ ଓ ମାନବାଧିକାର ଆୟୋଗ ସରକାରଙ୍କୁ ଅଙ୍କୁଶ ଲଗାଇବା ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ ଅଦାଲତଙ୍କ ନିର୍ଦ୍ଦେଶକୁ ସରକାର ଅଣଦେଖା କରୁଛନ୍ତି। ପୋଲିସର ସକ୍ରିୟତା ମଧ୍ୟ ଦେଖିବାକୁ ମିଳେନାହିଁ। ଚାଲାଣର ଶିକାର ଅଧିକାଂଶ ଗରିବ ଶ୍ରେଣୀର ପିଲାମାନେ ହୋଇଥିବା ଦେଖାଦେଇଥାଏ। ଗରିବ ପରିବାର ପିଲାଙ୍କୁ ପ୍ର୦ଲୋଭନ ଦେଖାଇ କାରଖାନା, ଅଫିସ, ଦୋକାନଗୁଡିକରେ ନିଯୁକ୍ତି ଦେବା ଆଳରେ ଅପହରଣ କରିଥାନ୍ତି। ସରକାରଙ୍କ ପରି ଯୋଜନା ମଧ୍ୟ ଫେଲ ମାରିଛି ା ସେହିପରି ବହୁ ନାବାଳିକା ଓ ଯୁବତୀମାନଙ୍କୁ ଲୁଚାଛପାରେ ଦେଶ ବାହାରକୁ ନେଇ ସେଠାରେ ବିକ୍ରି କରାଯାଉଛି। ଯେଉଁଠି କି ଗୋତି ଶ୍ରମିକଙ୍କ ଭଳି ସେଠାରେ କାମ କରିବାକୁ ପଡ଼ିଥାଏ। ଏପରିକି ସେମାନଙ୍କ ମଧ୍ୟରୁ ଅନେକଙ୍କୁ ଭିକ୍ଷା ବୃତ୍ତି ଆପଣେଇବାକୁ ପଡ଼ିଥାଏ। ସେଠାରେ ଝିଅମାନଙ୍କୁ ଶାରୀରିକ ନିର୍ଯାତନା ଦିଆଯାଇଥାଏ। ଏପରିକି ଅନେକ ଯୁବତୀଙ୍କୁ ଯୌନ କାରବାର ପାଇଁ ବାଧ୍ୟ କରାଯାଉଥିବା ନଜିର ରହିଛି। ମାନବ ଚାଲାଣ ଉପରେ ଅଙ୍କୁଶ ଲଗାଇବା ପାଇଁ କେନ୍ଦ୍ର ଓ ରାଜ୍ୟର ଗୋଇନ୍ଦା ସଂସ୍ଥା, ପୋଲିସ ଓ ସୀମା ସୁରକ୍ଷା ବଳ ମଧ୍ୟରେ ଉତ୍ତମ ସମନ୍ବୟ ରହିବା ଆବଶ୍ୟକ। କିନ୍ତୁ ବାସ୍ତବ କ୍ଷେତ୍ରରେ ଗୋଇନ୍ଦା, ପୋଲିସ ମଧ୍ୟରେ ସମନ୍ବୟର ଅଭାବ ଦେଖାଦେଉଛି। ତେଣୁ ସରକାର ଏ ଦିଗରେ ଦୃଢ଼ ପଦକ୍ଷେପ ଗ୍ରହଣ କରିବା ସହ ମାନବ ଚାଲାଣ ରୋକିବା ଦିଗରେ ଅଙ୍କୁଶ ଲଗାନ୍ତୁ ବୋଲି ବିଭିନ୍ନ ମହଲରେ ଦାବି ହେଉଛି।