ସଙ୍କଟରେ ଇମ୍ରାନ୍‌ ସରକାର: ଜେନେରାଲ ବାଜଓ୍ବା ଦଖଲ କରିପାରନ୍ତି କ୍ଷମତା !

ଇସଲାମାବାଦ୍‌,୩।୧୦: ପାକିସ୍ତାନରେ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁ ସରକାର ପ୍ରତି ସଙ୍କଟ ସୃଷ୍ଟି ହୋଇଛି। ପାକିସ୍ତାନ ସୈନ୍ୟ ବାହିନୀ ମୁଖ୍ୟ ଜେନେରାଲ କରମ ଜାଭେଦ୍‌ ବାଜଓ୍ବା କ୍ଷମତା ଦଖଲ କରିବାର ଆଶଙ୍କା ଦେଖାଦେଇଛି। ଇତିମଧ୍ୟରେ ବାଜଓ୍ବା ଦେଶର ବଡ଼ବଡ଼ ଶିଳ୍ପପତିଙ୍କ ସହିତ ଏକ ବୈଠକରେ ଯୋଗଦେଇଛନ୍ତି। ଶିଳ୍ପପତିମାନେ ସେମାନଙ୍କର ସମସ୍ୟା ସମ୍ପର୍କରେ ବାଜଓ୍ବାଙ୍କୁ ଅବଗତ କରାଇଛନ୍ତି। ତେବେ ବାଜଓ୍ବାଙ୍କ ଏହି ବୈଠକକୁ କେତେକ ନାପସନ୍ଦ କରିଛନ୍ତି। ସୈନ୍ୟ ବାହିନୀ ମୁଖ୍ୟ ଦେଶର ସୀମା ପ୍ରତି ଦୃଷ୍ଟି ନ ଦେଇ ଆଭ୍ୟନ୍ତରୀଣ କାର୍ଯ୍ୟରେ ଦଖଲ ଦେବା ଅନାବଶ୍ୟକ ବୋଲି ସେମାନେ କହିଛନ୍ତି। ସୂଚନାଯୋଗ୍ୟ, ପାକିସ୍ତାନର ୭୨ ବର୍ଷ ଇତିହାସରେ ସୈନ୍ୟ ବାହିନୀ ମୁଖ୍ୟଙ୍କ ଦ୍ୱାରା ଏଭଳି ଅନେକଥର କ୍ଷମତା ଦଖଲ ହୋଇଛି। ଫିଲ୍ଡ ମାର୍ଶଲ ଆୟୁବ ଖାଁ, ୟହିୟା ଖାଁ, ଜିଆଉଲ୍‌ ହକ୍‌, ପରବେଜ୍‌ ମୁଶାରଫ ଆଦି ପ୍ରାୟ ୩୫ ବର୍ଷ ଧରି ପାକିସ୍ତାନର ଶାସନ ଡୋର ଧରିଛନ୍ତି। ପୁଣି ଏବେ ପାକିସ୍ତାନରେ ସେହିପରିି ସ୍ଥିତି ସୃଷ୍ଟି ହୋଇଛି।

Share