ସଙ୍କଟରେ ବିମାନ ଚଳାଚଳ

ନୂଆଦିଲ୍ଲୀ,୨୩ା୫ : କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ ବିଶ୍ୱର ଅନେକ ଦେଶରେ ଲକ୍‌ଡାଉନ୍‌ ଓ ଯାତ୍ରା କଟକଣା ଜାରି କରାଯାଇଛି। ଏପରି କି ବିମାନ ଚଳାଚଳ ଉପରେ ମଧ୍ୟ ରୋକ ଲଗାଯାଇଛି। ଫଳରେ ଅନେକ ଦେଶରେ ବିମାନ ଚଳାଚଳ ବନ୍ଦ ହୋଇଯାଇଥିବାବେଳେ ଆଉ କେତେକ ଅନ୍ତର୍ଜାତୀୟ ବିମାନ ସେବା ପ୍ରଦାନକାରୀ ଏୟାରଲାଇନ୍ସ ଶେଷ ନିଃଶ୍ୱାସ ଗଣୁଛନ୍ତି। ଆଇଏଜି, ୟୁନାଇଟେଡ୍‌ ଆମେରିକାନ୍‌ ଏୟାରଲାଇନ୍ସ, ଏମିରେଟ୍ସ ଓ ଲୁଫ୍‌ଥାନ୍ସା ଭଳି ବୃହତ୍‌ କ୍ୟାରିୟର୍ସ ନିଜ ସ୍ଥିତି ବଜାୟ ରଖିବା ପାଇଁ ସେମାନଙ୍କ ସରକାରଙ୍କଠାରୁ ସାହାଯ୍ୟ ମାଗିଛନ୍ତି।
ଯାତ୍ରା ଓ ପର୍ଯ୍ୟଟନ ଶିଳ୍ପକୁ କୌଣସି ରାଷ୍ଟ୍ରର ଅର୍ଥନୀତି ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନେକରାଯାଏ। ବର୍ତ୍ତମାନର ସଙ୍କଟ ପରେ ଯଥାଶୀଘ୍ର ସମ୍ଭବ ଅନ୍ତର୍ଜାତୀୟ ବିମାନ ଚଳାଚଳ ସ୍ବାଭାବିକ ହେଉ ବୋଲି ଏହି ଶିଳ୍ପ ଅପେକ୍ଷା କରିଛି। ବିଶ୍ୱର ମୋଟ ଜାତୀୟ ଉତ୍ପାଦ (ଜିଏନ୍‌ପି)ର ୧୦.୩% ରାଜସ୍ବ ଆସୁଥିବା ପର୍ଯ୍ୟଟନ ବ୍ୟବସାୟ ଯାତ୍ରା ପୁନଃ ଆରମ୍ଭ ପାଇଁ ଉତ୍କଣ୍ଠିତ। କରୋନା ପରବର୍ତ୍ତୀ କାଳରେ ଏୟାରଲାଇନ୍‌ ଶିଳ୍ପ ଭିନ୍ନ ରୂପ ନେବାକୁ ଯାଉଛି। ଯେଉଁ ଏୟାରଲାଇନ୍‌ଗୁଡ଼ିକ ତିଷ୍ଠି ରହିବ ସେଗୁଡ଼ିକ ସରକାରୀ ଅନୁକମ୍ପା ଲାଭ କରି ଛୋଟ ଛୋଟ ବ୍ୟବସାୟରେ ପରିଣତ ହେବ ଏବଂ ଋଣବୋଝରେ ଲଦି ହୋଇ ଛଟପଟ ହେବ। କେତେଜଣ ବିମାନ ଚଳାଚଳ ବିଶ୍ଳେଷକ ଭବିଷ୍ୟବାଣୀ କରୁଛନ୍ତି ଯେ, କୋଭିଡ୍‌-୧୯ ଏହି ଶିଳ୍ପକୁ ଧ୍ୱଂସ କରିଦେବ। କରେକ୍ଟିଭ୍‌ ଆକ୍ସନ ପ୍ରିଭେଣ୍ଟିଭ୍‌ ଆକ୍ସନ (ସିଏପିଏ) ବିଶ୍ଳେଷକଙ୍କ ମତରେ ସ୍ଥିତି ଖୁବ୍‌ଶୀଘ୍ର ନ ସୁଧୁରିଲେ ବିଶ୍ୱର ଏୟାରଲାଇନ୍ସଗୁଡ଼ିକ ମେ’ ଶେଷ ସୁଦ୍ଧା ଦେବାଳିଆ ହୋଇଯିବେ। ଏଭଳି ସମୟରେ ସେମାନଙ୍କ ପ୍ରସ୍ତାବ ଅନୁସାରେ ଏକ ସମ୍ଭାବ୍ୟ ସମାଧାନ ହେଉଛି ଏୟାରଲାଇନ୍ସଗୁଡ଼ିକର ଜାତୀୟ ମାଲିକାନା ନିୟମଗୁଡ଼ିକୁ ରଦ୍ଦ କରି ଇଣ୍ଡଷ୍ଟ୍ରିକୁ ଗ୍ଲୋବାଲ୍‌ ବ୍ରାଣ୍ଡରେ ମିଶ୍ରଣ ହେବା ପାଇଁ ଅନୁମତି ଦେବା। କରୋନା ସଙ୍କଟ ବୈଶ୍ୱିକ ଏୟାରଲାଇନ୍‌ ଇଣ୍ଡଷ୍ଟ୍ରିକୁ ପୁଣିଥରେ ସଜାଡ଼ି ଉଡାଣ ଭରିବା ଲାଗି ଏକ ବିରଳ ସୁଯୋଗ ଦେଇଛି। ଏଭଳି ସଙ୍କଟରୁ ମୁକ୍ତ ହେବାର ମାନେ ହେଉଛି ରକ୍ତାକ୍ତ ହୋଇ ଯୁଦ୍ଧଭୂଇଁକୁ ଯିବା। ଏହି କ୍ଷେତ୍ର ଆଇନ ପ୍ରଣେତା ଓ ଆର୍ଥିକ ବଜାରଗୁଡ଼ିକ ପାଇଁ ସେମାନଙ୍କ ଦାବିଗୁଡ଼ିକୁ ଉପସ୍ଥାପନ କରିବା ଲାଗି ଖୋଲା ଅଛି। ସେମାନେ ଗ୍ରାହକମାନଙ୍କୁ ଉତ୍ତମ ବ୍ୟବହାର ଦେଖାଇବା, ନିଜ କାର୍ବନ ପଦଚିହ୍ନ ହ୍ରାସ କରିବା ଓ ଅଧିକ ସ୍ଥାୟୀ ବ୍ୟବସାୟ ପାଇଁ ଉପାୟ ଆପଣାଇବା ଉଚିତ ଭଳି କେତେକ ପଦକ୍ଷେପକୁ ନେଇ ଏକ ଦୀର୍ଘ ତାଲିକା ରହିଛି।
କରୋନା ଭୂତାଣୁର ପ୍ରଭାବ ସାରା ବିଶ୍ୱକୁ କଲବଲ କରିଥିବାବେଳେ ଅନେକ ଏୟାରଲାଇନ୍ସ ଦେବାଳିଆ ଅବସ୍ଥାକୁ ଚାଲିଆସିଛନ୍ତି। ବିମାନଗୁଡ଼ିକ ଏୟାରପୋର୍ଟରେ ବସିରହିବା ଫଳରେ ନଗଦ ଭଣ୍ଡାର ଖାଲି ହେବାରେ ଲାଗିଛି। ରଦ୍ଦଠାରୁ ଫରଓ୍ବାର୍ଡ ବୁକିଂ ବହୁତ ଅଧିକ ଏବଂ ପ୍ରତ୍ୟେକ ଥର ସରକାରଙ୍କଠାରୁ ଗୋଟିଏ ଗୋଟିଏ ନୂଆ ସୁପାରିସ ଆସୁଛି, ଯାହାକି ଉଡ଼ାଣ ଓ ଯାତ୍ରାକୁ ନିରୁତ୍ସାହିତ କରିବ। ଏହି ପରିପ୍ରେକ୍ଷୀରେ ଇଣ୍ଟରନ୍ୟାଶନାଲ ଏୟାର ଟ୍ରାନ୍ସପୋର୍ଟ ଆସୋସିଏଶନ (ଆଇଏଟିଏ)ର ସଦ୍ୟ ଭବିଷ୍ୟବାଣୀ ହେଉଛି, ୟୁରୋପୀୟ ଏୟାରଲାଇନ୍ସଗୁଡ଼ିକର ଚାହିଦା ୨୦୧୯ ତୁଳନାରେ ୨୦୨୦ରେ ୫୫%କୁ ଖସିଯିବ। ଫଳରେ ସମ୍ଭାବ୍ୟ ରାଜସ୍ବ କ୍ଷତି ୮୯ ବିଲିୟନ୍‌ ଡଲାରରେ ପହଞ୍ଚତ୍ବ। କରୋନା ଭାଇରସ୍‌ ଯୋଗୁ ଏହି କ୍ଷତିର ପରିମାଣ ୭୬ ବିଲିୟନ୍‌ ଡଲାର ହେବ ବୋଲି ମାର୍ଚ୍ଚରେ ଉକ୍ତ ଆସୋସିଏଶନ୍‌ ଆକଳନ କରିଥିବାବେଳେ ପରେ ଏହା ଅଧିକ ବଢ଼ିଯିବ ବୋଲି ଆଶଙ୍କା ବ୍ୟକ୍ତ କରିଛି। ବିଗତ କିଛି ସପ୍ତାହ ଧରି ଆଞ୍ଚଳିକ ସ୍ତରରେ ଚାହିଦା ୯୦% ହ୍ରାସ ପାଇଛି। ସାରା ବିଶ୍ୱରେ ଯାତ୍ରା କଟକଣା ଯୋଗୁ ଯାତ୍ରା ସୀମିତ ହୋଇଯାଇଛି। କେବଳ ନାଗରିକମାନଙ୍କୁ ସେମାନଙ୍କ ନିଜ ଦେଶକୁ ଫେରିବା ପାଇଁ ଅନୁମତି ଦିଆଯାଉଛି। ଫଳରେ ପୂର୍ବରୁ ଯାହା ଆଶା କରାଯାଉଥିଲା ସେଥିରୁ ଏୟାରଲାଇନ୍ସଗୁଡ଼ିକ ଅଧିକ ପ୍ରଭାବିତ ହେବେ ବୋଲି ଆଇଏଟିଏ କହିଛି।
ୟୁରୋପୀୟ ଏୟାରଲାଇନ୍ସଗୁଡ଼ିକ ମଧ୍ୟରୁ ଅଧିକାଂଶ ସେମାନଙ୍କ ପାସେଞ୍ଜର ଅପରେଶନକୁ ବନ୍ଦ କରିଦେଇଛନ୍ତି। ଦୁଇଟି ଅଞ୍ଚଳର ସର୍ବବୃହତ୍‌ କ୍ୟାରିୟର୍ସ ଇଜିଜେଟ ଓ ର଼୍ୟାନ୍‌ଏୟାର ଜୁନ୍‌ ପର୍ଯ୍ୟନ୍ତ ଚଳାଚଳ କରିବା ନେଇ ଆଶା ଦିଶୁନାହିଁ। ଟ୍ରାକ୍‌କୁ ଫେରିବା ପାଇଁ ଏୟାରଲାଇନ୍ସଗୁଡ଼ିକ କର୍ପୋରେଟ୍‌ ଟ୍ରାଭେଲ ନେଇ ଆଶାବାଦୀ। ବିଜ୍‌ନେସ୍‌ ଟ୍ରାଭେଲରମାନେ ଏକ ଟିପିକାଲ୍‌ ଫ୍ଲାଇଟ୍‌ ପାଇଁ ୪ରୁ ୫ ଥର ହାରାହାରି ଯାତ୍ରା ଖର୍ଚ୍ଚ ବହନ କରୁଥିବାରୁ ଖୁବ୍‌ଶୀଘ୍ର ସାଧାରଣ ବିମାନରେ ଯାତ୍ରା କରିବା ସେମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ଅନେକ ଅର୍ଥନୀତିଜ୍ଞଙ୍କ ଭବିଷ୍ୟବାଣୀ ଅନୁସାରେ ଚଳିତବର୍ଷ ତୃତୀୟ ତ୍ରୈମାସରେ ଅର୍ଥନୀତି ସୁଧୁରିବା ଆରମ୍ଭ କଲେ ମଧ୍ୟ କରୋନା ଭାଇରସ୍‌ ଭୟ ଏଥିରେ ବାଧା ସୃଷ୍ଟି କରିବ। କାରଣ ଏୟାରଲାଇନ୍ସଗୁଡ଼ିକ ପୂର୍ବ ସଙ୍କଟରୁ ଓହରିପାରି ନ ଥିବେ। ତେଣୁ ଏୟାରଲାଇନ୍‌କୁ ପୂର୍ବ ଅବସ୍ଥାକୁ ଫେରିବା ପାଇଁ ଆହୁରି ଅନେକ ମାସ ଲାଗିଯିବ। ଅନ୍ୟପକ୍ଷରେ ବିଶ୍ୱରେ ସଂକ୍ରମଣର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହେଲେ ଯାତ୍ରା ପାଇଁ ଯାତ୍ରୀମାନଙ୍କ ଆମତ୍ବିଶ୍ୱାସ କମିଯିବ। ପାର୍କିଂ କରିଥିବା ବିମାନଗୁଡ଼ିକର ଜରୁରୀ ରକ୍ଷଣାବେକ୍ଷଣ ଏବେ ମଧ୍ୟ ଚାଲିଛି। ସେଗୁଡ଼ିକୁ ସେବା ପ୍ରଦାନ ଯୋଗ୍ୟ କରିବା ଲାଗି ଉଡ଼ାଣ ଅବସ୍ଥାକୁ ଅଣାଯିବା ଜରୁରୀ। ବିମାନର ଚାହିଦା ଅଭୂତପୂର୍ବ ଭାବେ ହ୍ରାସ ପାଇବାରେ ଲାଗିଛି। ହେଲେ ଏହି ସଙ୍କଟରୁ ଓହରିବା ପାଇଁ ବର୍ତ୍ତମାନ ଯାଏ କୌଣସି ସରକାରୀ ସହାୟତା ବିମାନବନ୍ଦରରେ ପହଞ୍ଚତ୍ପାରି ନାହିଁ।

କରୋନା ମାଡ଼ରେ ପଙ୍ଗୁ ହେଲା ଶିଳ୍ପ
ଆମେରିକା: କରୋନା ଭାଇରସ୍‌ ସଂକ୍ରମଣ ଯୋଗୁ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି ଶକ୍ତିଶାଳୀ ଆମେରିକା। ଦେଶର ଏୟାରଲାଇନ୍‌ ଇଣ୍ଡଷ୍ଟ୍ରି ଏକପ୍ରକାର ଅଚଳ ହୋଇଯାଇଥିବାବେଳେ ଏହାକୁ ସଚଳ କରିବା ପାଇଁ ଆମେରିକା ସରକାର ୬୧ ବିଲିୟନ୍‌ ଡଲାରର ବେଲ୍‌ଆଉଟ୍‌ ପାଇଁ ରାଜି ହୋଇଛନ୍ତି। ଏହି ଅନୁଦାନ ମିଳିବା ପରେ ଆମେରିକାନ୍‌, ଡେଲ୍ଟା, ସାଉଥ୍‌ଓ୍ବେଷ୍ଟ, ଜେଟ୍‌ବ୍ଲ୍ୟୁ ଏବଂ ୟୁନାଇଟେଡ୍‌ ଭଳି ବଡ଼ ବଡ଼ ଏୟାରଲାଇନ୍ସର ସ୍ଥିତିରେ ସୁଧାର ଆସିପାରେ।
ଅଷ୍ଟ୍ରେଲିଆ: କରୋନା ଭୂତାଣୁ ଭର୍ଜିନ୍‌ ଅଷ୍ଟ୍ରେଲିଆକୁ ୫ ବିଲିୟନ୍‌ ଅଷ୍ଟ୍ରେଲୀୟ ଡଲାର ଋଣଯନ୍ତାରେ ଛନ୍ଦି ଦେବାଳିଆ କରିଦେଇଛି। ଏପ୍ରିଲ ୨୧ରେ ଅଷ୍ଟ୍ରେଲିଆର ଏହି ଏୟାରଲାଇନ୍ସ ନିଜକୁ ଦେବାଳିଆ ଘୋଷଣା କରିବା ପାଇଁ ପିଟିଶନ୍‌ ଦାଏର କରିଥିଲା। ଭର୍ଜିନ୍‌ର ଆଡ୍‌ମିନିଷ୍ଟ୍ରେଟରମାନେ କମ୍ପାନୀର ନିୟନ୍ତ୍ରଣ ହାତକୁ ନେଇଛନ୍ତି। ସେମାନେ କମ୍ପାନୀ କିମ୍ବା ଏହାର ବ୍ୟବସାୟକୁ ରକ୍ଷା କରିବା ପାଇଁ ଉଦ୍ୟମ ଚଳାଇଛନ୍ତି। ଅଷ୍ଟ୍ରେଲିଆ ସରକାର ଭର୍ଜିନକୁ ୧.୪ ବିଲିୟନ୍‌ ଅଷ୍ଟ୍ରେଲୀୟ (୮୮୮ ମିଲିୟନ୍‌ ଆମେରିକୀୟ) ଡଲାର ଋଣ ପ୍ରଦାନ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିବା ପରେ ଏଭଳି ପଦକ୍ଷେପ ନିଆଯାଇଛି।

ଏହାର ପ୍ରତିଦ୍ୱନ୍ଦ୍ୱୀ କ୍ୱାଣ୍ଟାସ୍‌ ଏୟାରଓ୍ବେଜ୍‌ ଯୁକ୍ତି ବାଢ଼ିଛି ଯେ, ତା’ ପାଖରେ ଭର୍ଜିନଠାରୁ ତିନିଗୁଣା ରାଜସ୍ବ ରହିଥିବାରୁ ତାକୁ ୪.୨ ବିଲିୟନ୍‌ ଅଷ୍ଟ୍ରେଲୀୟ (୨.୭ ବିଲିୟନ୍‌ ଆମେରିକୀୟ) ଡଲାର ଋଣ ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲା। ତେବେ ଭର୍ଜିନ ଏୟାରଲାଇନ୍ସ ବନ୍ଦ ହୋଇଗଲେ ଅନୂ୍ୟନ ୧୦,୦୦୦ କର୍ମଚାରୀ ନିଯୁକ୍ତି ହରାଇପାରନ୍ତି। ବର୍ତ୍ତମାନ ସୁଦ୍ଧା ଏହାର ୬୦୦ ପାଇଲଟଙ୍କ ସମେତ ୩୦୦୦ କର୍ମଚାରୀ ଘରେ ବସିଲେଣି।
ଥାଇଲାଣ୍ଡ: ଭର୍ଜିନ ଅଷ୍ଟ୍ରେଲିଆ ଭଳି ଥାଇ ଏୟାରଓ୍ବେଜ୍‌ ଇଣ୍ଟରନ୍ୟାଶନାଲ (ଟିଏଚ୍‌ଏଆଇ) ମଧ୍ୟ ଥାଇଲାଣ୍ଡ ସରକାରଙ୍କଠାରୁ ୧.୮ ବିଲିୟନ୍‌ ଡଲାର ଋଣ ଚାହୁଁଛି। ବର୍ତ୍ତମାନ ସ୍ଥିତିରେ ଋଣ ଦିଆଗଲେ ବି ଟିଏଚ୍‌ଏଆଇର ସ୍ଥିତି ସୁଧୁରିବ ନାହିଁ ବୋଲି ଅନେକେ ମନେକରୁଛନ୍ତି। ମେ ୧୯ ତାରିଖରେ ଏହି ଏୟାରଲାଇନ୍ସ ବ୍ୟାଙ୍କ୍ରପ୍‌ସି ଆଇନର ଚ୍ୟାପ୍ଟର ୩/୧ ଅନୁସାରେ ଦେବାଳିଆ ଘୋଷଣା ପାଇଁ ଆବେଦନ କରିଥିଲା। ଥାଇଲାଣ୍ଡର କ୍ୟାବିନେଟ ଏକ ବ୍ୟାଙ୍କ୍ରପ୍‌ସି କୋର୍ଟ ଜରିଆରେ ଟିଏଚ୍‌ଏଆଇର ଯୋଜନାକୁ ଅନୁମୋଦନ କରିଥିଲା।
ବ୍ରିଟେନ: ଆଇଏଜି (ବ୍ରିଟିଶ୍‌ ଏୟାରଓ୍ବେଜ୍‌ର ମୂଳ କମ୍ପାନୀ) ମାର୍ଚ୍ଚରେ ନିଜ ପୁଞ୍ଜି ସୁରକ୍ଷା ଓ ଖର୍ଚ୍ଚକାଟ ପାଇଁ ଘୋଷଣା କରିଥିଲା। ୨୦୨୦ ଏପ୍ରିଲ ଓ ମେ’ରେ କରାଯାଉଥିତ୍ବା ଖର୍ଚ୍ଚକାଟ ୨୦୧୯ରେ ଏହି ଅବଧିର ଅନୂ୍ୟନ ୭୫%। ଏଥିସହ ଏହି ଗ୍ରୁପ୍‌ ବଳକା ବିମାନଗୁଡ଼ିକର ଉଡ଼ାଣ କରାଇବ ନାହିଁ। ପୁଞ୍ଜି ବ୍ୟୟ ହ୍ରାସ କରିବ ଓ ଅଣ-ସାଇବର୍‌ ସମ୍ପର୍କିତ ଆଇଟି ଖର୍ଚ୍ଚ ଏବଂ ଇଚ୍ଛାଧୀନ ବ୍ୟୟ ମଧ୍ୟ କମାଇଦେବ। ସେହିପରି ନିଯୁକ୍ତି ହ୍ରାସ କରି ଶ୍ରମ ମୂଲ୍ୟରେ ହ୍ରାସ ଘଟାଇବା ସହ କର୍ମଚାରୀମାନଙ୍କୁ ଇଚ୍ଛାଧୀନ ଛୁଟି ପ୍ରଦାନ କରିବା ଓ କାର୍ଯ୍ୟ ସମୟ ମଧ୍ୟ କମ୍‌ କରିବା ପାଇଁ କମ୍ପାନୀ ଯୋଜନା କରିଛି।
ମରିସସ୍‌: କରୋନା ଭାଇରସ୍‌ର ଶିକାର ହୋଇଛି ଆଉ ଏକ ଆଭିଏଶନ୍‌ ଇଣ୍ଡଷ୍ଟ୍ରି। ୫୨ ବର୍ଷରେ ପଦାର୍ପଣ କରି ୪ ମହାଦେଶର ୨୨ ରାଷ୍ଟ୍ରକୁ ବିମାନ ଉଡ଼ାଣ କରୁଥିବା ଏୟାର ମରିସସ୍‌ ମଧ୍ୟ ବିପୁଳ ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ତେଣୁ ଆଗକୁ ହେବାକୁ ଥିବା ଖର୍ଚ୍ଚ ତୁଲାଇବା ପାଇଁ ଏହାର ବଳ ପାଉ ନ ଥିବାରୁ ଦେବାଳିଆ ଘୋଷଣା ଲାଗି ଆବେଦନ କରିଛି। ଏହାସହ ପୁଞ୍ଜିନିବେଶକାରୀଙ୍କୁ ଖୋଜିବା ପାଇଁ ଆଡ୍‌ମିନିଷ୍ଟ୍ରେଟର ନିଯୁକ୍ତ କରିଛି। କମ୍ପାନୀ ଓ ଏହାର ଅଂଶିଦାରମାନଙ୍କ ସ୍ବାର୍ଥରକ୍ଷା ପାଇଁ ଏପରି ପଦକ୍ଷେପ ନିଆଯାଇଥିବା ଏପ୍ରିଲ ୨୨ ବୈଠକ ପରେ ଏୟାର ମରିସସ୍‌ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଥିଲା।
ଦକ୍ଷିଣ ଆଫ୍ରିକା: ସେହିପରି ୨୦୧୧ରୁ କ୍ଷତିରେ ଚାଲୁଥିବା ଦକ୍ଷିଣ ଆଫ୍ରିକାର ସାଉଥ୍‌ ଆଫ୍ରିକାନ୍‌ ଏୟାରଓ୍ବେଜ୍‌ (ଏସ୍‌ଏସ୍‌ଏ) ପାଇଁ ମଧ୍ୟ କରୋନା ଲକ୍‌ଡାଉନ୍‌ ଖରାପ ସମୟ ଆଣିଛି। ୨୦୧୯ ଡିସେମ୍ବର ୫ରେ ଏହି କମ୍ପାନୀ ବ୍ୟାଙ୍କ୍ରପ୍‌ସି ପ୍ରୋଟେକ୍ସନ ପାଇଁ ଆବେଦନ କରିଥିଲା। ଏବେ ଉଦ୍ଧାର ପାଇବା ଲାଗି ସରକାରଙ୍କ ଅନୁକମ୍ପାକୁ ଅନେଇ ବସିଛି ରାଷ୍ଟ୍ରାୟତ୍ତ ବିମାନ ଚଳାଚଳ କମ୍ପାନୀ ଏସ୍‌ଏସ୍‌ଏ।
ଆୟରଲାଣ୍ଡ: ଏହି ଦେଶର ବଜେଟ ଏୟାରଲାଇନ୍ସ ର଼୍ୟାନ୍‌ଏୟାର ୧୧୩ ଫ୍ଲାଇଟକୁ ବିମାନବନ୍ଦରରେ ବସାଇଦେଇଥିବାବେଳେ ୯୦୦ ପାଇଲଟଙ୍କୁ ଛଟେଇ କରିଛି। ଆସନ୍ତା ମାସ ଆହୁରି ୪୫୦ ପାଇଲଟ ଚାକିରି ହରାଇବେ ବୋଲି ମଧ୍ୟ ସଙ୍କେତ ଦେଇଛି। ଅନୁରୂପ ଭାବେ ସ୍କାଣ୍ଡିନେଭିଆନ୍‌ ଏୟାରଲାଇନ୍ସ (ଏସ୍‌ଏଏସ୍‌) ମଧ୍ୟ ଆର୍ଥିକ ସଙ୍କଟ କାରଣରୁ ୧୪ ବିମାନକୁ ବନ୍ଦ କରି ୫୨୦ ପାଇଲଟଙ୍କୁ ଛଟେଇ କରିଛି।
ୟୁଏଇ: ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ର ଦ୍ୱିତୀୟ ବୃହତ୍ତମ ବିମାନ ଚଳାଚଳ କମ୍ପାନୀ ଏତିହାଦ୍‌ ଏୟାରଓ୍ବେଜ୍‌ ଏ୩୫୦ ପାଇଁ ୧୮ଟି ଅର୍ଡରକୁ ରଦ୍ଦ କଲାଣି। ୧୦ଟି ଲେଖାଏ ଏ୩୮୦ ଏବଂ ବୋଇଂ ୭୮୭କୁ ବନ୍ଦ କରି ୭୨୦ କର୍ମଚାରୀଙ୍କୁ ଛଟେଇ କରିଛି।
ହଙ୍ଗେରି: ଓ୍ବିଜ୍‌ଏୟାର ଏହାର ୩୨ ଏୟାରବସ୍‌କୁ ଫେରାଇ ଦେଇଥିବାବେଳେ ୨୦୦ ପାଇଲଟଙ୍କ ସମେତ ୧,୨୦୦ କର୍ମଚାରୀଙ୍କୁ ଚାକିରିରୁ ବାହାର କରିଦେଇଛି। ଆସନ୍ତା ମାସରେ ୪୩୦ କର୍ମଚାରୀ ବିଦାହେବାକୁ ଥିବାବେଳେ ଅବଶିଷ୍ଟ କର୍ମଚାରୀମାନେ କେବଳ ୩୦% ଦରମା ପାଇବେ।
ଜର୍ମାନୀ: ମେଗା କ୍ୟାରିୟର୍‌ ଲୁଫ୍‌ଥାନ୍ସା ମଧ୍ୟ ନିଜକୁ ବଞ୍ଚାଇବା ପାଇଁ ଅନୁରୂପ ପଦକ୍ଷେପ ନେଉଛି। ଏହି କମ୍ପାନୀ ଦୁଇଟି ପର୍ଯ୍ୟାୟରେ ୭୨ ଏୟାରକ୍ରାଫ୍ଟର ଚଳାଚଳ ବନ୍ଦ କରିବା ପାଇଁ ଯୋଜନା କରିଛି। ଅନ୍ୟପକ୍ଷରେ ଏୟାର ଫ୍ରାନ୍ସ ହୋପ୍‌ ବିମାନ ଚଳାଚଳ ହ୍ରାସ କରି କର୍ମଚାରୀଙ୍କ ସଂଖ୍ୟା ୫୦% ହ୍ରାସ ପାଇଁ ଅନୁଧ୍ୟାନ କରୁଛି।

Share