Categories: ଜାତୀୟ

ସଙ୍କଟରେ ଶାନ୍ତ ରୁହନ୍ତି ମୋଦି: ବିଅର ଗ୍ରିଲ୍ସ

ନୂଆଦିଲ୍ଲୀ,୧୦।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ ଡିସ୍‌କଭରି ଚ୍ୟାନେଲର ‘ମ୍ୟାନ ଭର୍ସେସ ଓ୍ବାଇଲ୍ଡ’ କାର୍ଯ୍ୟକ୍ରମରେ ନଜର ଆସିବେ। ଆସନ୍ତା ୧୨ ତାରିଖରେ ଏହା ପ୍ରସାରଣ ହେବାକୁ ଥିବା ବେଳେ ଏହି କାର୍ଯ୍ୟକ୍ରମର ଉପସ୍ଥାପକ ବିଅର ଗ୍ରିଲ୍ସ ମୋଦିଙ୍କୁ ନେଇ କିଛି କମେଣ୍ଟସ୍‌ ଦେଇଛନ୍ତି। ମୋଦି ଖୁବ୍‌ ଉଲ୍ଲାସ ଆନନ୍ଦରେ ରହୁଥିବା ବ୍ୟକ୍ତି ଓ ସେ ଖୁବ୍‌ ଶାନ୍ତ ସ୍ବଭାବର। ମୋଦି ବିଶ୍ୱର ଜଣେ ପରିଚିତ ନେତା ହୋଇଥିବା ବେଳେ ସେ ସଙ୍କଟ ସମୟରେ ମଧ୍ୟ ଶାନ୍ତ ରହି ପାରନ୍ତି। ପ୍ରତିକୂଳ ପରିସ୍ଥିତିରେ ବି ମୋଦି ସାହସର ସହ ମୁକାବିଲା କରନ୍ତି ବୋଲି ବିଅର କହିଛନ୍ତି। ଯାହା ସେ ଉତ୍ତରାଖଣ୍ଡର ଜିମ୍‌ କାର୍ବେଟ ନ୍ୟାସନାଲ ପାର୍କରେ ଦେଖିବାକୁ ପାଇଛନ୍ତି। ମୋଦି ଜଣେ ସାକାହାରୀ ହୋଇଥିବା ବେଳେ ସେ ଜଙ୍ଗଲ ମଧ୍ୟରେ କୌଣସି ଆମିଷ ଜାତୀୟ ଦ୍ରବ୍ୟ ଯେମିତିକି କଙ୍କଡା, ମାଛ ଏସବୁ ଖାଇ ନ ଥିଲେ। ତେଣୁ ଜଙ୍ଗଲ ମଧ୍ୟରେ ତାଙ୍କୁ ବହୁ କଷ୍ଟ ସହିବାକୁ ପଡିବ ବୋଲି ବିଅର ଅନୁମାନ କରିଥିଲେ। ହେଲେ ଶାନ୍ତ ଭାବେ ମୋଦି କହିଥିଲେ ଫଳ ଫୁଲ, ଗଛର ଚେର ବି ଖିଆଯାଇପାରେ। ଯାହା ସେ ବର୍ଷ ବର୍ଷ ଧରି ଖାଇ ଆସିଛନ୍ତି। ବିଅର ଟୁଇଟରରେ ଏହି କାର୍ଯ୍ୟକ୍ରମର ଏକ ପ୍ରମୋ ଅପଲୋଡ କରିଥିବା ବେଳେ ଏହା ଇଣ୍ଟରନେଟରେ ରେକର୍ଡ କରିଛି ବୋଲି ସେ କହିଛନ୍ତି। ତେବେ ମୋଦିଙ୍କ ସହ ତାଙ୍କର ଏହି ଏପିସୋଡଟି ସବୁଠାରୁ ଭଲ ବୋଲି ସେ କହିଛନ୍ତି।

Share