ସଙ୍କଟରେ ଶିଳ୍ପ

କଳିଙ୍ଗନଗରରେ ସମ୍ପ୍ରତି ଇସ୍ପାତ ଶିଳ୍ପର ଅବସ୍ଥା ଭଲ ନାହିଁ। ଋଣ ପରିଶୋଧ କରି ନ ପାରିବାରୁ ମେସ୍କୋ(ମିଡ୍‌ଇଷ୍ଟ ଇଣ୍ଟିଗ୍ରେଟେଡ ଷ୍ଟିଲ ଲିଃ) ମାଲିକାନାରେ ଥିବା ମୈଥାନ ଇସ୍ପାତ କାରଖାନାକୁ ନିକଟରେ ୭ଟି ବ୍ୟାଙ୍କ କର୍ତ୍ତୃପକ୍ଷ ନିଜ ଦଖଲକୁ ନେଇଛନ୍ତି। ଏହାବାଦ ଜରିମାନା ଖିଲାପି ଅଭିଯୋଗରେ ଉକ୍ତ କାରଖାନାର ସମ୍ପତ୍ତି ବାଜ୍ୟାପ୍ତ କରିବାକୁ କେନ୍ଦୁଝର ଜିଲାପାଳଙ୍କ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ ରୋହିତ ଫେରୋଟେକ, କେଜେ ଇସ୍ପାତ, ଭିସା ଷ୍ଟିଲ, ନୀଳାଚଳ ଇସ୍ପାତ ନିଗମ କାରଖାନାର ଆର୍ଥିକ ଅବସ୍ଥା ମଧ୍ୟ ଠିକ ନ ଥିବାରୁ ପରିସ୍ଥିତି ଦୋହଲିବାରେ ଲାଗିଛି। ଯେଉଁଥିପାଇଁ ଶତାଧିକ ସ୍ଥାୟୀ କର୍ମଚାରୀ ଓ ଠିକାଶ୍ରମିକଙ୍କୁ ଛଟେଇ ମଧ୍ୟ କରାଯାଇଛି। ଏପରି କି ମୈଥାନ, ନୀଳାଚଳ ଓ ମେସ୍କୋ ଷ୍ଟିଲ୍‌ର କର୍ମଚାରୀମାନେ ଦରମା ଦାବିରେ ଆନ୍ଦୋଳନରେ ବସୁଛନ୍ତି। ପ୍ରାୟ ଅଧିକାଂଶ କାରଖାନାରେ ଶ୍ରମିକ ଓ କର୍ମଚାରୀ ଅସନ୍ତୋଷ ବଳବତ୍ତର ରହିଛି। ଗତ ୨ ବର୍ଷ ମଧ୍ୟରେ ୨୫ ହଜାରରୁ ଉର୍ଦ୍ଧ୍ୱ ଶ୍ରମିକ ଛଟେଇ ହୋଇ ସାରିଛନ୍ତି। ରାଜ୍ୟର ଶିଳ୍ପ ଉପରେ ଟିକସ ଗଡ଼ିବା ସହ ଋଣର ମାତ୍ରା ବଢୁଥିବାରୁ ରାଜକୋଷ ଦୋହଲିବାରେ ଲାଗିଛି। ବିଶ୍ୱ ବଜାରରେ ଆର୍ଥତ୍କ ମାନ୍ଦାବସ୍ଥା ଯୋଗୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା କୁହାଯାଉଛି। କମ୍‌ ମୂଲ୍ୟରେ ବାହାର ଦେଶର ଷ୍ଟିଲ୍‌ର ବହୁଳ ଭାବରେ ବିକ୍ରି ଯୋଗୁ ଦେଶର ଅନେକ କର୍ପୋରେଟ ସେକ୍ଟର ହାତ ଟେକି ଦେଇଛନ୍ତି। ଏପରି କି କିଛି କର୍ପୋରେଟ ସେକ୍ଟର ସମୂହ ପୁଞ୍ଜିନିବେଶ ଯୋଜନାକୁ ସାମୟିକ ସ୍ଥଗିତ ରଖିବାକୁ ବାଧ୍ୟ ହେଲେଣି। ଏହାର ପ୍ରଭାବ ଷ୍ଟିଲ୍‌ ସିଟି କଳିଙ୍ଗନଗରରେ ଅନୁଭୂତ ହେଲାଣି। ବିଶେଷ କରି ବର୍ତ୍ତମାନ କଳିଙ୍ଗନଗରରେ ଟାଟା ଷ୍ଟିଲ, ଜିନ୍ଦଲ ଷ୍ଟେନ୍‌ଲେସ ଷ୍ଟିଲ ଓ ବିଆର୍‌ପିଏଲ୍‌କୁ ବାଦ ଦେଲେ ଅନ୍ୟ ସମସ୍ତ ଶିଳ୍ପ କମ୍ପାନୀ ସେମାନଙ୍କ କ୍ଷତିକୁ ବଞ୍ଚାଇବା ପାଇଁ ଚେଷ୍ଟା କଲେଣି। ରୋହିତ ଫେରୋଟେକ କାରଖାନା ମଧ୍ୟ ଖୁବଶୀଘ୍ର ବ୍ୟାଙ୍କ ଦ୍ୱାରା ଜବତ ହେବ ବୋଲି ଶୁଣିବାକୁ ମିଳିଛି। ଏଭଳିସ୍ଥିତିରେ କର୍ମଚାରୀ ଛଟେଇ ସାମାଜିକ ଅସ୍ଥିରତା ସୃଷ୍ଟି କରୁଛି। ରାଜ୍ୟରେ ଅର୍ଥନୀତିର ମାନ୍ଦାବସ୍ଥାର ପ୍ରଭାବ, ଷ୍ଟିଲ ଓ ସ୍ପଞ୍ଜଆଇରନ କ୍ଷେତ୍ରକୁ ବହୁଳମାତ୍ରାରେ ପ୍ରଭାବିତ କରିଛି। ସରକାର ଅନେକ ଶିଳ୍ପ ସଂସ୍ଥାକୁ ପୁଞ୍ଜି ବିନିଯୋଗ କରିବାକୁ ଆହ୍ବାନ ଦେଉଥିଲେ ମଧ୍ୟ ଅନେକ ପଛଘୁଞ୍ଚା ଦେଉଛନ୍ତି। ଶିଳ୍ପସଂସ୍ଥା ଠିକ୍‌ଭାବେ ଚାଲିଲେ, ଏହା ଉପରେ ନିର୍ଭର କରି ଚଳୁଥିବା ହଜାର ହଜାର କର୍ମଚାରୀ ଓ ଶ୍ରମିକ ଗୋଷ୍ଠୀର ଜୀବନ ମାନରେ ଉନ୍ନତି ଆସିବ। ତେଣୁ ସରକାର ଏଥିପ୍ରତି ଦୃଷ୍ଟି ଦେବା ଆବଶ୍ୟକ।