ସଙ୍କୁଚିତ ହେଉଛି ବୃହସ୍ପତିର ରେଡ୍‌ ସ୍ପଟ୍‌

ସୌରଜଗତରେ ବୃହତ୍ତମ ଗ୍ରହ ଭାବରେ ବୃହସ୍ପତିକୁ ବିବେଚନା କରାଯାଇଥାଏ। ଏଥିରେ ଗତ କିଛି ଦଶନ୍ଧି ଧରି ଏକ ବଡ଼ ରେଡ୍‌ ସ୍ପଟ୍‌ ଉପରେ ଗବେଷଣା ଜାରି ରହିଛି। ଏ ନେଇ ନିକଟରେ ଆମେରିକାସ୍ଥିତ ୟୁନିଭର୍ସିଟି ଅଫ୍‌ କାଲିଫର୍ନିଆର ମହାକାଶ ବିଜ୍ଞାନୀମାନେ ଏକ ଚାଞ୍ଚଲ୍ୟକର ତଥ୍ୟ ଲୋକଲୋଚନକୁ ଆଣିଛନ୍ତି। ଏକ ନିଅଁା ପିଣ୍ଡୁଳା ଆକାରରେ ଦୃଶ୍ୟମାନ ହେଉଥିବା ଏହି ରେଡ୍‌ ସ୍ପଟ୍‌ର ଆକାର ପୂର୍ବାପେକ୍ଷା କମିଛି ବୋଲି ଉକ୍ତ ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ସୂଚନା ଦିଆଯାଇଛି। ଏ ସମ୍ପର୍କରେ ଏହି ଗବେଷଣାର ମୁଖ୍ୟ ତଥା ୟୁନିଭର୍ସିଟି ଅଫ୍‌ କାଲିଫର୍ନିଆର ମେକାନିକାଲ ଇଞ୍ଜନିୟରିଂ ବିଭାଗର ପ୍ରଫେସର ଫିଲିପ ମାର୍କସ କହନ୍ତି, ”ଏହି ରେଡ୍‌ ସ୍ପଟ୍‌ ଆକାର କମିଛି, ହେଲେ ଏହା ଯେ ଭବିଷ୍ୟତରେ ବିଲୀନ ହୋଇଯିବ ସେପରି ଅନୁମାନ ଏବେ କରିବା ଠିକ୍‌ ହେବ ନାହିଁ। ଏହି ସ୍ପଟ୍‌ ଚାରିପଟେ ଝଡ଼ର ବାଦଲ ମଧ୍ୟ ଦେଖିବାକୁ ମିଳିଛି।“