Categories: ଖେଳ

ସଙ୍ଗକାରାଙ୍କୁ ଏମ୍‌ସିସି ଦଳର ନେତୃତ୍ୱ

ଲଣ୍ଡନ, ୧୮।୧୨ (ପି.ଟି.): କ୍ରିକେଟ୍‌ ନିୟମର ପ୍ରଣେତା ମେରିଲବୋନ କ୍ରିକେଟ୍‌ କ୍ଲବ (ଏମ୍‌ସିସି) ଆସନ୍ତା ଫେବ୍ରୁୟାରୀରେ ପାକିସ୍ତାନ ଗସ୍ତରେ ଯାଇ ସେଠାରେ କେତୋଟି ମ୍ୟାଚ୍‌ ଖେଳିବାର କାର୍ଯ୍ୟସୂଚୀ ରହିଛି। ଏଥିଲାଗି ପୂର୍ବତନ ମହାନ ଶ୍ରୀଲଙ୍କା କ୍ରିକେଟର୍‌ କୁମାର ସଙ୍ଗକାରାଙ୍କୁ ଏମ୍‌ସିସି ଦଳର ନେତୃତ୍ୱ ପ୍ରଦାନ କରାଯାଇଛି। ସଙ୍ଗକାରା ମଧ୍ୟ ବର୍ତ୍ତମାନ ଏମ୍‌ସିସିର ସଭାପତି ପଦରେ ଦାୟିତ୍ୱ ତୁଲାଉଛନ୍ତି। ‘ଆସନ୍ତା ଫେବ୍ରୁୟାରୀରେ କ୍ଲବ ଲାହୋରକୁ ଏକ ଟିମ୍‌ ପଠାଇବ। ସେଠାରେ କେତୋଟି ମ୍ୟାଚ୍‌ ଖେଳାଯିବ’ ବୋଲି ଏମ୍‌ସିସି ପକ୍ଷରୁ ବୁଧବାର ଏକ ପ୍ରେସ୍‌ ବିଜ୍ଞପ୍ତିରେ କୁହାଯାଇଛି। ଳାହୋରରେ ସୁରକ୍ଷା ବ୍ୟବସ୍ଥାକୁ ପୁରା ଅନୁଧ୍ୟାନ କରିବା ପରେ ଏମ୍‌ସିସି ପକ୍ଷରୁ ଏହି ଗସ୍ତ ଚୂଡ଼ାନ୍ତ କରାଯାଇଛି। ଏମ୍‌ସିସିର ସମସ୍ତ ମ୍ୟାଚ୍‌ ଲାହୋରସ୍ଥିତ ଏଟସନ କଲେଜ ଗ୍ରାଉଣ୍ଡରେ ଖେଳାଯିବ। ଏଠାରେ ପ୍ରକାଶଯୋଗ୍ୟ, ୨୦୦୯ରେ ଶ୍ରୀଲଙ୍କା ଖେଳାଳିଙ୍କ ବସ୍‌ ଉପରକୁ ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ଟେଷ୍ଟ ଖେଳୁଥିବା ଦେଶ ପାକିସ୍ତାନ ଗସ୍ତ କରିବାକୁ ରାଜି ହୋଇ ନ ଥିଲେ। ତେବେ ବର୍ତ୍ତମାନ ଶ୍ରୀଲଙ୍କା ଦଳ ପାକିସ୍ତାନ ଗସ୍ତରେ ଯାଇ ସେଠାରେ ୨ ମ୍ୟାଚ୍‌ବିଶିଷ୍ଟ ଟେଷ୍ଟ ସିରିଜ ଖେଳୁଛି। ଫଳରେ ୧୦ ବର୍ଷର ବ୍ୟବଧାନ ପରେ ପାକିସ୍ତାନ ମାଟିକୁ ଟେଷ୍ଟ କ୍ରିକେଟ୍‌ ଫେରିଛି।

Share