ସଙ୍ଗଠିତ ସମାଜ ଦ୍ୱାରା ରାଷ୍ଟ୍ରର ବିକାଶ ସମ୍ଭବ

ଭୁବନେଶ୍ୱର,୩ା୧୦(ବ୍ୟୁରୋ): ବିନା ଶକ୍ତିରେ ସମାଜ ଜାଗରଣ ଅସମ୍ଭବ। ଏହାକୁ ଅନୁଭବ କରି ଡ.କେଶବ ବଳିରାମ ହେଡଗେୱାର ୧୯୨୫ମସିହାର ବିଜୟା ଦଶମୀ ତିଥିରେ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘର ପ୍ରତିଷ୍ଠା କରିଥିଲେ ବୋଲି ଆରଏସ୍‌ଏସ୍‌ର ପୂର୍ବ କ୍ଷେତ୍ର କାର୍ଯ୍ୟବାହ ଅଧ୍ୟାପକ ଗୋପାଳ ପ୍ରସାଦ ମହାପାତ୍ର କହିଛନ୍ତି। ସ୍ଥାନୀୟ ଜାଗମରା ପଡ଼ିଆରେ ଆରଏସ୍‌ଏସ୍‌ ଭୁବନେଶ୍ୱର ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ଶ୍ରୀ ମହାପାତ୍ର କହିଥିଲେ, ଯେ ପର୍ଯ୍ୟନ୍ତ ସମାଜ ସଂଗଠିତ ନ ହୋଇଛି ସେ ପର୍ଯ୍ୟନ୍ତ ଆସୁରିକ ଏବଂ ଅରାଷ୍ଟ୍ରୀୟ ଶକ୍ତିମାନଙ୍କ ପ୍ରାଦୁର୍ଭାବ ବଢ଼ୁଥିବ। ତେଣୁ ଏହି ଶକ୍ତିକୁ ପ୍ରତିହତ କରିବାକୁ ହେଲେ ସମାଜ ଶକ୍ତିକୁ ଜାଗ୍ରତ କରିବାକୁ ପଡ଼ିବ। ତେଣୁ ସଙ୍ଗଠିତ ସମାଜ ଦ୍ୱାରା ରାଷ୍ଟ୍ରର ବିକାଶ ସମ୍ଭବ ବୋଲି ସେ କହିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ଅତଥିଭାବେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ବ୍ରଜକିଶୋର ମହାପାତ୍ର ଯୋଗଦେଇଥିଲେ। ଆରଏସ୍‌ଏସ୍‌ର ପୁରୀ ବିଭାଗ ସଂଘଚାଳକ ବୈକୁଣ୍ଠନାଥ ସାହୁ ଏବଂ ମହାନଗର ସଂଘ ଚାଳକ ଡ. ବସନ୍ତ ପତି ଯୋଗଦେଇଥିଲେ। ଏଥିରେ ଭୁବନେଶ୍ୱରର ୫୦୦ରୁ ଊର୍ଦ୍ଧ୍ୱ ସ୍ବୟଂସେବକ ଉପସ୍ଥିତ ରହି ଯୋଗାସନ, ଦଣ୍ଡ ବ୍ୟାୟାମ ଯୋଗ ଓ ଘୋଷ ପ୍ରଦର୍ଶନ କରିଥିଲେ। ସ୍ବୟଂସେବକମାନେ ଏକ ପଥସଞ୍ଚଳନରେ ବାହାରି ସହର ପରିକ୍ରମା କରିଥିଲେ। କାର୍ଯ୍ୟକ୍ରମକୁ ମହାନଗର ସହକାର୍ଯ୍ୟବାହ ସୁବ୍ରତ ତ୍ରିିପାଠୀ, ଭବେଶ ଜେନା, ସାଇପ୍ରସାଦ ଦାଶ ପ୍ରମୁଖ ପରିଚାଳନା କରିଥିଲେ।

Share