ସଙ୍ଗରୋଧକାରୀଙ୍କୁ ପ୍ରାର୍ଥନା, ଯୋଗ କରିବାକୁ ପରାମର୍ଶ ଦେଉଛନ୍ତି ପ୍ରଧାନଶିକ୍ଷକ

ମାଲକାନଗିରି,୬ା୫ (ଡି.ଏନ୍‌.ଏ.): ଶ୍ରମିକଙ୍କୁ ବାହାର ରାଜ୍ୟରୁ ଫେରାଇ ଆଣିବା ନେଇ ରାଜ୍ୟ ସରକାର ବ୍ୟବସ୍ଥା କରିବା ପରେ ମାଲକାନଗିରି ଜିଲାକୁ ପ୍ରତ୍ୟେହ ହଜାର ହଜାର ଶ୍ରମିକ ଫେରୁଛନ୍ତି। ସେମାନଙ୍କୁ ସଙ୍ଗରୋଧ ଗୃହରେ ରଖିବା ବ୍ୟବସ୍ଥା ହୋଇଛି। ତେବେ କାଲିମେଳା ବ୍ଲକ ତେଲରାଇ ପଞ୍ଚାୟତ ଜବାନପାଲି ବିଦ୍ୟାଳୟର ପ୍ରଧାନଶିକ୍ଷକ ନବକିଶୋର ମଲ୍ଲିକ ସଙ୍ଗରୋଧ କେନ୍ଦ୍ରରେ ସଙ୍ଗରୋଧକାରୀଙ୍କ ପାଇଁ ଭିନ୍ନ ପରିବେଶ ସୃଷ୍ଟି କରିଛନ୍ତି। ସକାଳ ଓ ସନ୍ଧ୍ୟାରେ ସାମାଜିକ ଦୂରତା ରକ୍ଷା କରି ପ୍ରାର୍ଥନା କରିବା, ଧାର୍ମିକ ଚର୍ଚ୍ଚା ସହ ଯୋଗ କରିବା ନେଇ ସେମାନଙ୍କୁ ବୁଝାଉଛନ୍ତି। ୧୦୯ ଜଣ ଶ୍ରମିକ ଏହି ସଙ୍ଗରୋଧ କେନ୍ଦ୍ରରେ ରହିଛନ୍ତି। ପ୍ରଧାନଶିକ୍ଷକ ମଲ୍ଲିକ କହନ୍ତି ସମସ୍ତଙ୍କର ଗୋଟିଏ ପରିଚୟ ା ଆମେ ମଣିଷ ଏବଂ ଗୋଟିଏ ମନ୍ତ୍ର ହେଉଛି ମାନବିକତା ା ଏହି ଅସମୟରେ ପରଆପଣା ଭୁଲି ଆମକୁ ସମସ୍ତଙ୍କ ସହ ମିଶି କରୋନାକୁ ମୁକାବିଲା କରିବାର ଆବଶ୍ୟକତା ରହିଛି। ଫଳରେ ଏହି ସଙ୍ଗରୋଧ କେନ୍ଦ୍ରର ଶ୍ରମିକମାନେ ଯେପରି ୨ ସପ୍ତାହ ହସଖୁସିରେ ବିତାଇବେ, କେନ୍ଦ୍ରର ନୀତି ନିୟମ ମାନି ଚଳିବେ ସେଥିପ୍ରତି ସେ ଗୁରୁତ୍ୱ ଦେଉଛନ୍ତି।