ପୁରୀ ଅଫିସ,୧୧।୫: ଜୁନ୍ ୨୩ରେ ରଥଯାତ୍ରା। ତେଣୁ କମ୍ ସମୟରେ କିପରି ରଥ ନିର୍ମାଣ କାର୍ଯ୍ୟ ତ୍ୱରାନ୍ବିତ ହେବ ଓ ଧାର୍ଯ୍ୟ ସମୟ ମଧ୍ୟରେ କାମ ସରିବ ତାହାକୁ ଗୁରୁତ୍ୱ ଦେଇଛି ଶ୍ରୀମନ୍ଦିର ପ୍ରଶାସନ। ମହାମାରୀ କରୋନାକୁ ଦୃଷ୍ଟିରେ ରଖି ରଥ ନିର୍ମାଣରେ ଯେପରି କୌଣସି ଅସୁବିଧା ନ ହୁଏ ସେଥିଲାଗି ବିଭିନ୍ନ ପଦକ୍ଷେପ ନେଇଛି। ରବିବାର ପୁରୀରେ ୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେଣୁ ରଥ ନିର୍ମାଣକାରୀ ସେବକମାନେ ଯେପରି ଅନ୍ୟ କାହା ସଂସ୍ପର୍ଶରେ ନ ଆସନ୍ତି ସେମାନଙ୍କୁ କ୍ବାରାଣ୍ଟାଇନ (ସଙ୍ଗରୋଧ)ରେ ରଖିବା ଲାଗି ନିଷ୍ପତ୍ତି ହୋଇଥିଲା। ସେହି ଅନୁଯାୟୀ ରବିବାରଠାରୁ ରଥ ନିର୍ମାଣକାରୀ ମହାରଣା, ଭୋଇ, ରୂପକାର ଏବଂ କମାର ସେବକ ସଙ୍ଗରୋଧରେ ରହିଛନ୍ତି। ବଡ଼ଦାଣ୍ଡସ୍ଥିତ ନୀଳାଦ୍ରି ଭକ୍ତନିବାସ ଏବଂ ନୀଳାଚଳ ଭକ୍ତ ନିବାସରେ ପ୍ରାୟ ୧୪୮ ସେବକ ରହିଥିବା ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା କହିଛନ୍ତି। ରଥଖଳାରେ ନିର୍ମାଣ କାର୍ଯ୍ୟ ସରିବା ପରେ ସମ୍ପୃକ୍ତ ସେବକମାନେ ଭକ୍ତ ନିବାସକୁ ଆସିଥିଲେ। ସେଠାରେ ନାମ ପଞ୍ଜୀକୃତ କରାଯାଇ ସମସ୍ତଙ୍କୁ ରଖାଯାଇଛି। ଉନ୍ନୟନ ପ୍ରଶାସକଙ୍କ ସୂଚନା ମୁତାବକ, ଜଣେ ବ୍ୟକ୍ତିଙ୍କ ଦୈନନ୍ଦିନ ଚଳଣି ପାଇଁ ଯାହା ଆବଶ୍ୟକ ତାହାର ବ୍ୟବସ୍ଥା ହୋଇଛି। ଓଟିଡିସିର ପାନ୍ଥନିବାସକୁ ଖାଦ୍ୟ ଯୋଗାଇବା ଦାୟିତ୍ୱ ଦିଆଯାଇଛି। ରବିବାର ୧୪୮ ଜଣଙ୍କ ନାମ ରେଜିଷ୍ଟ୍ରେଶନ କରାଯାଇଥିଲା। ପ୍ରାୟ ସମସ୍ତେ ରହିଥିବା ଉନ୍ନୟନ ପ୍ରଶାସକ ଜେନା କହିଛନ୍ତି। ସୂଚନାଥାଉ କି, ରଥ ନିର୍ମାଣକାରୀଙ୍କ ରହଣି ଲାଗି ଶ୍ରୀମନ୍ଦିର ପ୍ରଶାସନ ନୀଳାଦ୍ରି ଭକ୍ତ ନିବାସରେ ୧୦୧ ରୁମ୍, ଗୁଣ୍ଡିଚା ମନ୍ଦିର ଭକ୍ତ ନିବାସରେ ୭୦ ଏବଂ ନୀଳାଚଳ ଭକ୍ତ ନିବାସରେ ୩୫ଟି ରୁମ୍ ରଖିଛି।