ସଙ୍ଗରୋଧ କେନ୍ଦ୍ରରୁ ଚୋରି ଘଟଣା: ୩ କୋର୍ଟ ଚାଲାଣ, ଚୋରି ସାମଗ୍ରୀ ଉଦ୍ଧାର

ଭଦ୍ରକ ଅଫିସ,୧୭ା୬: ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନସ୍ଥ ତୋରଣପଦା ସଙ୍ଗରୋଧ କେନ୍ଦ୍ରରୁ ଚଳିତ ମାସ ୫ ତାରିଖ ରାତିରେ କବାଟ ଭାଙ୍ଗି ଚୋରି ହୋଇଥିଲା। ସଙ୍ଗରୋଧ କେନ୍ଦ୍ରରେ ଥିବା ଇନ୍‌ଭର୍ଟର, ବ୍ୟାଟେରୀ, ଆକ୍ୱାଗାର୍ଡ ପରି କିଛି ସାମଗ୍ରୀ ଚୋରି ହୋଇଥିଲା ବୋଲି ସାବରଙ୍ଗ ଫାଣ୍ଡିରେ ଅଭିଯୋଗ ହୋଇଥିଲା। ପୋଲିସ ତଦନ୍ତ କରି ୩୩୨/୨୦ରେ ଏକ ମାମଲା ରୁଜୁ କରିଥିଲା। ଏନେଇ ସାବରଙ୍ଗ ଫାଣ୍ଡି ଓ ଗ୍ରାମାଞ୍ଚଳ ପୋଲିସ ମଙ୍ଗଳବାର ତିନି ଚୋରଙ୍କୁ ଗିରଫ କରି ଚୋରି ସାମଗ୍ରୀ ଉଦ୍ଧାର କରିଥିଲା। ବୁଧବାର ଗ୍ରାମାଞ୍ଚଳ ଥାନା ପରିସରରେ ଏକ ଖବରଦାତା ସମ୍ମିଳନୀରେ ଅତିରିକ୍ତ ଏସ୍‌ପି କୈଳାସ ପରିଡ଼ା, ଏସ୍‌ଡିପିଓ ସୁନୀଲ ନନ୍ଦ ଓ ଥାନାଧିକାରୀ ପ୍ରଭାଂଶୁ ମିଶ୍ର ଏହି ଚୋରି ଘଟଣାର ପର୍ଦ୍ଦାଫାଶ କରିଛନ୍ତି। ଗିରଫ ତିନିଜଣ ହେଲେ ତିହିଡ଼ି ଥାନା ଅଧିନସ୍ଥ ହାତୁଆରି ଗାଁର ଅଶୋକ କୁମାର ମହାପାତ୍ର ଓ ଭୋଳାନାଥ ମହାଳିକ, ଗୋରାମାଟିର ନାରାୟଣ ସାମଲ। ସମସ୍ତଙ୍କୁ ବୁଧବାର କୋର୍ଟଚାଲାଣ କରାଯାଇଛି।