ଭଞ୍ଜନଗର,୨୭।୫(ଡି.ଏନ.ଏ)-ତାରସିଂ ଥାନା ଗାଲେରୀ ସଙ୍ଗରୋଧ କେନ୍ଦ୍ରରେ ଅବ୍ୟବସ୍ଥା ନେଇ ଅନ୍ତେବାସୀମାନେ ବୁଧବାର ହୋହଲ୍ଲା କରିବା ସହ ଖାଦ୍ୟ ଗ୍ରହଣ କରିନଥିଲେ। ଏହାପରେ ପ୍ରଶାସନର ହସ୍ତକ୍ଷେପ ପରେ ସମସ୍ୟାର ସମାଧାନ ହୋଇଥିଲା। ମଙ୍ଗଳବାର ଗାଲେରୀ ସରପଞ୍ଚ ତାରସିଂ ଥାନାରେ ୨ଜଣ ଅନ୍ତେବାସୀଙ୍କ ବିରୋଧରେ ଅଭିଯୋଗ କରିଛନ୍ତି। କେନ୍ଦ୍ରରେ ରହୁଥିବା ତୁରୁମୁର ୨ଜଣ ବ୍ୟକ୍ତି ବିଶୃଙ୍ଖଳା କରୁଥିବାରୁ ପରିଚାଳନାରେ ବାଧା ଉପୁଜୁଥିବା ଏତଲାରେ ସେ ଦର୍ଶାଇଛନ୍ତି। ଅପରପକ୍ଷେ କେତେଜଣ ଅନ୍ତେବାସୀଙ୍କ ପକ୍ଷରୁ ଏକ ଭିଡ଼ିଓ ଭାଇରଲ ହୋଇଛି। ସେଥିରେ ସେମାନଙ୍କୁ ରାତିରେ ଶୋଇବା ପାଇଁ ବିଛଣା ଦିଆଯାଇନାହିଁ, ପାଣି ଠିକ୍ ଭାବେ ଆସୁନାହିଁ, ଖାଦ୍ୟ ମଧ୍ୟ ଠିକ୍ରେ ଦିଆଯାଉ ନାହିଁ। ସମସ୍ୟାର ସମାଧାନ କରାନଗଲେ ଏଠାରେ ଆତ୍ମହତ୍ୟା କରିବୁ ବୋଲି ଅନ୍ତେବାସୀ ଭିଡ଼ିଓରେ କହୁଛନ୍ତି। ଏନେଇ ବିଡ଼ିଓ ଅନିଲ କୁମାର ସେଠୀଙ୍କ ସହ ଯୋଗାଯୋଗ କରିବାରୁ ସେମିତି କିଛି ସମସ୍ୟା ନାହିଁ ବୋଲି କହିଛନ୍ତି।