ସଙ୍ଗରୋଧ କେନ୍ଦ୍ରରେ ଛାୟା ବିବାହ

ଓଡ଼ାପଡ଼ା, ୨୭।୫(ଡି.ଏନ.ଏ.)-ସଙ୍ଗରୋଧରେ ଥିବା ପ୍ରବାସୀଙ୍କ ଚିତ୍ତବିନୋଦନ ଲାଗି ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ ଅଙ୍କରାନ୍ତିପୁର ଉନ୍ନୀତ ହାଇସ୍କୁଲସ୍ଥିତ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ବୁଧବାର ଛାୟା ବିବାହ କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି। ସଙ୍ଗରୋଧରେ ଥିବା ଜଣେ ଦମ୍ପତି ବରକନ୍ୟା ବେଶରେ ସଜେଇ ହୋଇ ପରସ୍ପରକୁ ବରଣମାଳା ପିନ୍ଧାଇଥିଲେ। ସାମାଜିକ ଦୂରତ୍ୱ ନିୟମ ମଧ୍ୟରେ ସମସ୍ତ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ଅବସରରେ ସମସ୍ତଙ୍କ ଲାଗି ସ୍ବତନ୍ତ୍ର ଖାଦ୍ୟପେୟର ବ୍ୟବସ୍ଥା ମଧ୍ୟ କରାଯାଇଥିଲା।
ଉକ୍ତ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ୩୦ଜଣ ସଙ୍ଗରୋଧରେ ଅଛନ୍ତି। ପବିତ୍ର ଶୀତଳଷଷ୍ଠୀ ଉପଲକ୍ଷେ ସମସ୍ତଙ୍କ ମନରେ ଉତ୍ସାହ ଭରିବାକୁ ସିମିନଇ ସରପଞ୍ଚ ବିନୋଦିନୀ ନାୟକ ଏବଂ ସମିତିସଭ୍ୟ ପ୍ରମୋଦ କୁମାର ନାୟକଙ୍କ ନେତୃତ୍ୱରେ ଏପରି ଅଭିନବ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏ ନେଇ ସରପଞ୍ଚ ଏବଂ ସମିତିସଭ୍ୟ କୁହନ୍ତି କୁହନ୍ତି, ଅନ୍ତେବାସୀ ଯେପରି ନିଜକୁ ବନ୍ଦୀ ବୋଲି ନ ଭାବନ୍ତୁ ସେଥିଲାଗି ଶୀତଳଷଷ୍ଠୀ ଅବସରରେ ଏଭଳି କାର୍ଯ୍ୟକ୍ରମ କରାଯାଇଥିଲା। ଏହାକୁ ଅନ୍ତେବାସୀ ମନଭରି ଉପଭୋଗ କରିଥିଲେ ା