ସଙ୍ଗରୋଧ କେନ୍ଦ୍ରରେ ଶିକ୍ଷକଙ୍କୁ ଆକ୍ରମଣ, ତୋଟାପଡାରେ ଉତ୍ତେଜନା

ଖଇରା, ୨୫।୫(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ସିମୁଳିଆ ଥାନା ଅଧୀନ ତୋଟାପଡା ହାଇସ୍କୁଲ ସଙ୍ଗରୋଧ କେନ୍ଦ୍ରରେ ବାଇକ ନେବା ଘଟଣାରେ କେନ୍ଦ୍ର ଦାୟିତ୍ୱରେ ଥିବା ଖେଳ ଶିକ୍ଷକ ଲକ୍ଷ୍ମୀଧର ପରିଡାଙ୍କୁ ନିକଟସ୍ଥ ଗଗନଧୂଳି ଗ୍ରାମର ୪ଜଣ ଯୁବକ ମରଣାନ୍ତକ ଆକ୍ରମଣ କରିଛନ୍ତି। ସରପଞ୍ଚ ମଧୁସୂଦନ ମାଝି, ତୋଟାପଡା ଏମଇ ସ୍କୁଲର ପ୍ରଧାନଶିକ୍ଷକ କୈଳାସ ଚନ୍ଦ୍ର ସେଣ୍ଡଙ୍କ ସହାୟତାରେ ତାଙ୍କୁ ଚିକିତ୍ସା ପାଇଁ ଭଦ୍ରକ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ମହାରାଷ୍ଟ୍ରରେ ରହୁଥିବା ଗଗନଧୂଳି ଗ୍ରାମର ୨ଜଣ ବ୍ୟକ୍ତି ୮ଦିନ ତଳେ ମାର୍କୋଣାରେ ପହଞ୍ଚିବା ପରେ ୨ଟି ବାଇକରେ ତୋଟାପଡା ହାଇସ୍କୁଲ ସଙ୍ଗରୋଧ କେନ୍ଦ୍ରକୁ ଆସି ରହିଥିଲେ। ଦୁଇ ବାଇକକୁ ବିଶୋଧନ ପାଇଁ ଉକ୍ତ ସଙ୍ଗରୋଧ କେନ୍ଦ୍ରରେ ରଖାଯାଇଥିଲା। ଶନିବାର ବିଶୋଧନ ପରେ ସଙ୍ଗରୋଧ କେନ୍ଦ୍ରରେ ରହୁଥିବା ବ୍ୟକ୍ତିଙ୍କର ପୁଅ ଶିକ୍ଷକ ପରିଡାଙ୍କୁ ବାଇକ ଚାବି ମାଗିଥିଲେ। ସିକ୍ୟୁରିଟି ଗାର୍ଡ ପାଖରେ ଚାବି ଅଛି ଏବଂ ସେ ଆସିଲେ ଦେବେ ବୋଲି ଶିକ୍ଷକ କହିବା ପରେ ଉଭୟଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା। ସନ୍ଧ୍ୟାରେ ସରପଞ୍ଚଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଡକାଯାଇ ସମାଧାନ କରାଯାଇଥିଲା। ହେଲେ ଉକ୍ତ ଯୁବକଙ୍କ କ୍ରୋଧ ଥମି ନ ଥିଲା। ରବିବାର ପୂର୍ବାହ୍ନରେ ଶିକ୍ଷକ ଜଣକ ବାରାପୁର ବଜାରରୁ ଘରକୁ ଫେରୁଥିବା ବେଳେ ତୋଟାପଡା ଛକ ନିକଟରେ ଉକ୍ତ ଯୁବକ ଓ ତାର ଅନ୍ୟ ୩ଜଣ ସହଯୋଗୀ ତାଙ୍କୁ ବାଡିରେ ନିସ୍ତୁକ ପିଟିଥିଲେ। ଉକ୍ତ ଶିକ୍ଷକ ସେଠାରେ ସଂଜ୍ଞାହୀନ ହୋଇ ତଳେ ପଡିଯାଇଥିଲେ। ଏହି ଘଟଣାରେ ଶିକ୍ଷକଙ୍କ ଗ୍ରାମର ଲୋକେ ଉତ୍ତ୍ୟକ୍ତ ହୋଇ ପଡୋଶୀ ଗଗନଧୂଳି ଗଁା ରାସ୍ତାରେ ବାଉଁଶବାନ୍ଧି ପ୍ରତିବାଦ କରିଥିଲେ। ଶିକ୍ଷକଙ୍କ ଆକ୍ରମଣକୁ ଖଇରା ଶାଖା ଓଷ୍ଟା ପକ୍ଷରୁ ତିବ୍ର ନିନ୍ଦା କରାଯିବା ସହ ତୁରନ୍ତ ଆକ୍ରମଣକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସଭାପତି ଦୀନବନ୍ଧୁ ଦାଶ ଦାବି କରିଛନ୍ତି। ଖଇରା ବିଡିଓ ଦେବେନ୍ଦ୍ର ବଳଙ୍କୁ ଯୋଗାଯୋଗ କରିବାରେ ପ୍ରଥମେ ତାଙ୍କୁ ଚିକିତ୍ସା ବନ୍ଦୋବସ୍ତ କରାଯାଇଛି। ସେ ସୁସ୍ଥ ହେବା ପରେ ଥାନାକୁ ଅବଗତ କରାଯିବ ବୋଲି କହିଛନ୍ତି।

Share