ସଙ୍ଗରୋଧ କେନ୍ଦ୍ରରେ ସନ୍ଦିଗ୍ଧ ଯୁବକଙ୍କ ଆତ୍ମହତ୍ୟା

ସୁନ୍ଦରଗଡ, ୮ା୪(ଡି.ଏନ୍‌.ଏ.): ସୁନ୍ଦରଗଡ ଜିଲା ଗୁରୁଣ୍ଡିଆ ବ୍ଲକର ଏକ ସଙ୍ଗରୋଧ କେନ୍ଦ୍ର ପରିସରରେ ଜଣେ କରୋନା ସନ୍ଦିଗ୍ଧ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତ ଯୁବକ ହେଲେ ଗୁରୁଣ୍ଡିଆ ପଞ୍ଚାୟତ ଅନ୍ତର୍ଗତ ବଡଗାଁ ମାତାଲଗଡା ବସ୍ତିର ଆନନ୍ଦ କୁମାର ଲାକ୍ରା(୩୦)। ସମ୍ପୃକ୍ତ ଯୁବକ ମହାରାଷ୍ଟ୍ରରେ କାମ କରି ଦେଢମାସ ପୂର୍ବରୁ ଘରକୁ ଫେରିଥିଲେ। ଥଣ୍ଡା କାଶ ହେବାରୁ ସେ ମଙ୍ଗଳବାର ଗୁରୁଣ୍ଡିଆ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଯାଇଥିଲେ। ଡାକ୍ତର ତାଙ୍କ ଟ୍ରାଭେଲ ବିବରଣୀ ଜାଣିବା ପରେ ଗୁରୁଣ୍ଡିଆ ପଞ୍ଚାୟତ ସମିତି ଉଚ୍ଚ ବିଦ୍ୟାଳୟରେ ଥିବା ସଙ୍ଗରୋଧ ଗୃହକୁ ଯିବାକୁ ପରାମର୍ଶ ଦେଇଥିଲେ। ସେହିଦିନ ସମ୍ପୃକ୍ତ ଯୁବକ ସଙ୍ଗରୋଧ ଗୃହକୁ ଯାଇଥିଲେ। ସେଠାରେ ଅନ୍ୟ ୧୭ଜଣ ରହିଥିବାରୁ ତାଙ୍କୁ ଅନ୍ୟ ଏକ କକ୍ଷରେ ରଖାଯାଇଥିଲା। ହେଲେ ବିଳମ୍ବିତ ରାତିରେ କରୋନା ସନ୍ଦିଗ୍ଧ ମନେକରି ସଙ୍ଗରୋଧ କେନ୍ଦ୍ର ନିକଟରେ ଥିବା ଏକ ଶାଗୁଆନ ଗଛରେ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିଲେ। ବୁଧବାର ସକାଳେ ସଙ୍ଗରୋଧ କେନ୍ଦ୍ର ନିକଟରେ ଥିବା ଶାଗୁଆନ ଗଛରେ ତାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଦେଖିବା ପରେ ଲୋକେ ପୋଲିସକୁ ଖବର ଦେଇଥିଲେ। ଗୁରୁଣ୍ଡିଆ ପୋଲିସ ମୃତଦେହ ଜବତକରି ବ୍ୟବଚ୍ଛେଦ ସକାଶେ ବଣାଇ ପଠାଇ ଘଟଣାର ଅଧିକ ତଦନ୍ତ କରୁଛି । ଏ ନେଇ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସରୋଜ କୁମାର ମିଶ୍ର କହିଛନ୍ତି ଯେ, ଏହି ଘଟଣା ସମ୍ପର୍କରେ ଜଣେ ଡାକ୍ତରଙ୍କୁ ସମ୍ପୃକ୍ତ ସଙ୍ଗରୋଧ କେନ୍ଦ୍ରକୁ ପଠାଯାଇ ରିପୋର୍ଟକୁ ଅପେକ୍ଷା କରାଯାଇଛି ବୋଲି କହିଛନ୍ତି।

Share