ସଙ୍ଗରୋଧ କେନ୍ଦ୍ର ଦାୟିତ୍ୱରେ ଥିବା ଶିକ୍ଷକଙ୍କୁ ଆକ୍ରମଣ ଘଟଣା,୪ ଜଣଙ୍କ ନାମରେ ମାମଲା

ଖଇରା,୨୫।୫(ଡି.ଏନ୍‌.ଏ.): ବାଲେଶ୍ବର ଜିଲା ଖଇରା ବ୍ଲକ ସିମୁଳିଆ ଥାନା ଅଧୀନ ତୋଟାପଡ଼ା ହାଇସ୍କୁଲ ସଙ୍ଗରୋଧ କେନ୍ଦ୍ର ଦାୟିତ୍ୱରେ ଥିବା ଖେଳ ଶିକ୍ଷକ ଲକ୍ଷ୍ମୀଧର ପରିଡ଼ାଙ୍କୁ ରବିବାର ମରଣାନ୍ତକ ଆକ୍ରମଣ ହୋଇଥିଲା। ଏହି ଘଟଣାରେ ସିମୁଳିଆ ଥାନା ପୋଲିସ ସୋମବାର ୪ ଜଣ ଗଗନଧୂଳି ଗ୍ରାମର ଦୀପକ ମାଝି, ନାରାୟଣ ମାଝି, ବିକାଶ ମାଝି ଓ ବସନ୍ତ ଦାସଙ୍କ ନାମରେ ଏକ ମାମଲା(୧୧୭/୨୦) ରୁଜୁ କରିଛି। ତେବେ ଘଟଣାକୁ ୨୪ଘଣ୍ଟା ବିତିଯାଇଥିଲେ ହେଁ ପୋଲିସ କାହାକୁ ଗିରଫ କରି ନାହିଁ। ଅନ୍ୟପଟେ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରା ନ ଗଲେ ସମସ୍ତ ଶିକ୍ଷକ କୋଭିଡ-୧୯ ମୁକାବିଲା କାର୍ଯ୍ୟକୁ ବର୍ଜନ କରିବାକୁ ଖଇରା ଶିକ୍ଷକ ସମନ୍ବୟ ସମିତିର ସଭାପତି ରାଧାକାନ୍ତ ପଣ୍ଡା ଓ ସମ୍ପାଦକ ବିଜୟ ଦ୍ବିବେଦୀ ବାଲେଶ୍ବର ଜିଲାପାଳଙ୍କୁ ଲିଖିତ ଭାବେ ଜଣାଇଛନ୍ତି।
ପ୍ରକାଶ ଯେ, ଗଗନଧୂଳୀ ଗ୍ରାମର ରମାକାନ୍ତ ମାଝି ଓ ଗୋଲକ ମାଝି ବମ୍ବେରୁ ଆସି ତୋଟାପଡ଼ା କେନ୍ଦ୍ରରେ ସଙ୍ଗରୋଧରେ ରହିଥିଲେ। ସେମାନେ ମାର୍କୋଣାରୁ ତୋଟାପଡ଼ା ଆସିବା ପାଇଁ ବ୍ୟବହାର କରିଥିବା ବାଇକକୁ ସଙ୍ଗରୋଧ କେନ୍ଦ୍ରରେ ବିଶୋଧନ ପାଇଁ ରଖାଯାଇଥିଲା। ତେବେ ବିଶୋଧନ ପରେ ବାଇକକୁ ଘରକୁ ନେବାକୁ ରମାକାନ୍ତ ଓ ଗୋଲକଙ୍କ ପୁତ୍ର ଲକ୍ଷ୍ମୀଧରଙ୍କୁ କହିଥିଲେ। ମାତ୍ର ଲଷ୍ମୀଧର ଏଥିରେ ରାଜି ନ ହେବାରୁ ସେମାନେ ମାଡ଼ ମାରିଥିଲେ। ଲକ୍ଷ୍ମୀଧର ଆହତ ହୋଇ ଭଦ୍ରକ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ସିମୁଳିଆ ଥାନା ଆଇଆଇସି ପର୍ଶୁରାମ ସାହୁଙ୍କୁ ଗିରଫ ସମ୍ପର୍କରେ ପଚାରିବାରୁ ସେମାନେ ଫେରାର ଥିବାରୁ ଗିରଫ କରାଯାଇପାରୁ ନ ଥିବା ସେ କହିଛନ୍ତି।