ସଙ୍ଗରୋଧ ଗୃହକୁ ଗଲେ ୪୬ ସୁରଟ ଫେରନ୍ତା

ଓଡ଼ଗାଁ,୧ା୫(ସ୍ବ.ପ୍ର.): ନୟାଗଡ ଜିଲା ଓଡ଼ଗାଁ ଆଦର୍ଶ ଥାନା ଅଞ୍ଚଳର ୪୬ ସୁରଟ ଫେରନ୍ତାଙ୍କୁ ସାକେରି ହାଇସ୍କୁଲ ସଙ୍ଗରୋଧ ଗୃହରେ ୧୪ଦିନ ପାଇଁ ରଖାଯାଇଛି। ସୂଚନା ଅନୁସାରେ ଏହି ଥାନା ଅନ୍ତର୍ଗତ ସାକେରି, ଆରେଡା, ଗିରିଡିପଲ୍ଲୀ, ବାହାଡ଼ାଝୋଲା ତଥା ପଡୋଶୀ ଗଞ୍ଜାମ ଜିଲାର ଏହି ଶ୍ରମିକମାନେ ଜିଜେ୧୪ଜେ୦୩୦୩ ନମ୍ବର ବିଶିଷ୍ଟ ସ୍ଲିପର ବସ୍‌ରେ ଓଡ଼ଗାଁ ଆସିଥିଲେ। ଗୁରୁବାର ରାତି ୧୦ଟାରେ ବସ୍‌ଟି ସାକେରି ଗ୍ରାମରେ ପହଞ୍ଚତ୍ବା ପରେ ପୋଲିସ ସେମାନଙ୍କୁ ଗଣତି କରି ସଙ୍ଗରୋଧ ଗୃହରେ ରହିବା ନିମନ୍ତେ ପରାମର୍ଶ ଦେଇଥିଲା । ଏଥିରେ ୩୪ ପୁରୁଷ, ୯ ମହିଳା ଓ ୩ ଶିଶୁ ରହିଥିବା ଜଣାଯାଇଛି । ସମସ୍ତଙ୍କ ଡାକ୍ତରୀ ପରୀକ୍ଷା କରିବା ସହିତ ଆବଶ୍ୟକ ପଡିଲେ ସେମାନଙ୍କ ସ୍ବାବ୍‌ ଟେଷ୍ଟ ପାଇଁ ପଠାଯିବ ବୋଲି କୋଭିଡ୍‌-୧୯ ଜିଲା ନୋଡାଲ ଅଫିସର ତଥା ଡିଏଫଓ ଧନରାଜ ଏଚ୍‌ଡି ପ୍ରକାଶ କରିଛନ୍ତି । ଅନ୍ୟପକ୍ଷେ ସାକେରି ସଙ୍ଗରୋଧ ଗୃହରେ ସମୁଦାୟ ୧୭ ଖଟିଆ ପଡିଥିବା ବେଳେ ଅବଶିଷ୍ଟ ଲୋକଙ୍କୁ ଗଦି ଶେଜ ଦିଆଯାଇଛି। ସମସ୍ତେ ଜଣ ପିଛା ୪୨ଶହ ଟଙ୍କା ଟିକେଟ ବାବଦକୁ ଖର୍ଚ୍ଚ କରିଥିବା ଧରିତ୍ରୀକୁ ସୂଚନା ଦେଇଛନ୍ତି ।

Share