ସଙ୍ଗରୋଧ ଗୃହରେ ଧାରଣା ଦେଲେ ପ୍ରବାସୀ

ଭଦ୍ରକ ଅଫିସ, ୨୨ା୫- ଭଦ୍ରକ ଜିଲାର ବିଭିନ୍ନ ସଙ୍ଗରୋଧ ଗୃହରେ ଥିବା ପ୍ରବାସୀ ଓଡ଼ିଆମାନେ ଗୁରୁବାର ଧାରଣା ଦେଇଥିଲେ। ୧୫ ଦିନରୁ ଊର୍ଦ୍ଧ୍ୱ ହେବ ସଂଗରୋଧ ଗୃହରେ ରହିଥିବା ବେଳେ ସେମାନଙ୍କ ସ୍ବାବ ସଂଗ୍ରହ କରାଯାଉ ନ ଥିବାରୁ ଉତ୍ତେଜନା ଦେଖା ଦେଇଥିଲା। କେତେକ ସ୍ଥାନରେ ପ୍ରଶାସନିକ ଅଧିକାରୀମାନେ ପହଞ୍ଚି ଅନ୍ତେବାସୀଙ୍କ ସହ ଆଲୋଚନା କରି ଜିଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ଅନ୍ୟ କେତେକ ସଂଗରୋଧ ଗୃହରେ ପ୍ରବାସୀ ଓଡ଼ିଆମାନେ ଧାରଣା ଚାଲୁ ରଖିଥିବା ଜଣାପଡ଼ିଛି। ବାସୁଦେବପୁର ବ୍ଲକର ସୁଗୋ, ବିନାୟକପୁର, ଅଢୁଆଁ, ତିହିଡ଼ି ବ୍ଲକର ନନ୍ଦପୁର ଅଞ୍ଚଳରେ ଏହିଭଳି ପରିସ୍ଥିତ ସୃଷ୍ଟି ହୋଇଛି। ଏପରିକି କେତେକ ସଂଗରୋଧ ଗୃହର ପ୍ରବାସୀ ଓଡ଼ିଆମାନେ ଜଳଖିଆ ଓ ମଧ୍ୟାହ୍ନଭୋଜନ ଖାଇ ନାହାନ୍ତି। ଏନେଇ ବାସୁଦେବପୁର ଭାଜପା ଯୁବନେତା ଉଦୟ ନାରାୟଣ ମଲ୍ଲିକଙ୍କ ନେତୃତ୍ୱରେ ଏକ ୫ଜଣିଆ ଟିମ୍‌ ଜିଲାପାଳଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲାପାଳ ଶ୍ୟାମଭକ୍ତ ମିଶ୍ରଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ବ୍ଲକ ଓ ପୌରପାଳିକାର ସମସ୍ତ ସଂଗରୋଧ ଗୃହରେ ଥିବା ପ୍ରବାସୀ ଓଡ଼ିଆଙ୍କ ସ୍ବାବ୍‌ ପରୀକ୍ଷା କରାଯାଇ ସେମାନଙ୍କ ରିପୋର୍ଟ ପ୍ରଦାନ କରାଯିବା ପାଇଁ ଏହି ସ୍ମାରକପତ୍ରରେ ଉଲ୍ଲେଖ କରାଯାଇଛି। ସୂଚନାଯୋଗ୍ୟ ଯେ, ବାସୁଦେବପୁର ବ୍ଲକରେ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା କାରଣରୁ ସଂଗରୋଧ ଗୃହର ଥିବା ସମସ୍ତ ପ୍ରବାସୀ ଓଡ଼ିଆଙ୍କ ସ୍ବାବ୍‌ ପରୀକ୍ଷା ନିତାନ୍ତ ଆବଶ୍ୟକ ବୋଲି ଦାବି ପତ୍ରରେ ଦର୍ଶାଯାଇଛି। ଏସମ୍ପର୍କରେ ଅତିରିକ୍ତ ଜିଲା ଚିକିସତ୍ାଧିକାରୀ ପ୍ରଦୀପ ଖୁଣ୍ଟିଆଙ୍କୁ ପଚାରିବାରୁ ଯେଉଁ ପ୍ରବାସୀଙ୍କ ଲକ୍ଷଣ ଦେଖାଯିବ ସେମାନଙ୍କ ସ୍ବାବ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯିବାର ନିୟମ ରହିଥିବା କହିଛନ୍ତି।

Share