ସଙ୍ଗରୋଧ ଗୃହ ପାଇଁ ଖାଦ୍ୟ ତାଲିକା ଜାରି କଲା ପ୍ରଶାସନ

ଭଦ୍ରକ ଅଫିସ,୫।୫: ଭଦ୍ରକ ଜିଲାରେ କାର୍ଯ୍ୟ କରୁଥିବା ସମସ୍ତ ସଙ୍ଗରୋଧ ଗୃହ ପାଇଁ ଏକ ଖାଦ୍ୟ ତାଲିକା ଜାରି କରିଛି ଜିଲା ପ୍ରଶାସନ। କ୍ୱାରାଣ୍ଟାଇନ ସେଣ୍ଟରରେ ନିମ୍ନ ମାନର ଖାଦ୍ୟକୁ ନେଇ ପ୍ରବାସୀ ଓଡ଼ିଆମାନେ ପାଟିତୁଣ୍ଡ କରିବା ସହ ଖାଦ୍ୟ ଫିଙ୍ଗିଦେଇଥିଲେ। ଏହି ଘଟଣାର ଏକ ଭିଡିଓ ଭାଇରାଲ ହୋଇଥିଲା। ଏହାପରେ ଭଦ୍ରକ ତିହିଡିର ଏକ ସଙ୍ଗରୋଧ ଗୃହର ଟିକ୍‌ଟକ୍‌ ଭିଡିଓ ମଧ୍ୟ ଭାଇରଲ ହେବାରେ ଲାଗିଛି। ଏଭଳି ଘଟଣା ଘଟିବା ପରେ ପ୍ରଶାସନ ନିର୍ଦ୍ଧିଷ୍ଟ ଭାବେ ପ୍ରବାସୀ ଓଡ଼ିଆଙ୍କ ପାଇଁ ଏକ ଖାଦ୍ୟ ତାଲିକା ଜାରି କରିଛି। ସଙ୍ଗରୋଧ ଗୃହର ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବା ସହ ସେଠାରେ ରହୁଥିବା ଲୋକଙ୍କ ପାଇଁ ଖାଦ୍ୟ ତାଲିକାକୁ ଏକ ନିର୍ଦ୍ଦେଶନାମା ଜରିଆରେ ଜିଲାପାଳ ଜ୍ଞାନ ରଞ୍ଜନ ଦାସ ଜାରି କରିଛନ୍ତି। ଯେଉଁଥିରେ ପ୍ରତି ଦିନ ଖାଦ୍ୟର ମେନୁ ରହିଛି। ସୂଚନା ମୁତାବକ ଆମିଷାଶୀଙ୍କ ପାଇଁ ସପ୍ତାହରେ ୩ଦିନ ଅଣ୍ଡା ଓ ଗୋଟିଏ ଦିନ ମାଛ କିମ୍ବା ଚିକେନ ତରକାରୀ ରହିବ। ସେହିପରି ନିରାମିଷାଶୀଙ୍କ ପାଇଁ ମଧ୍ୟାହ୍ନ ଭୋଜନରେ ଛତୁ କିମ୍ବା ପନିର ତରକାରୀ ମିଳିବ ବୋଲି ଜଣାପଡ଼ିଛି। ଏଥିସହ ସକାଳ ଜଳଖିଆରେ ମଟର ତରକାରୀ ସହ ପୁରୀ, ଇଡ଼ଲି, ମସଲା ଉପମା, ଚୁଡା ଉପମା (ଏଥିରୁ ଗୋଟିଏ) ଏବଂ ସନ୍ଧ୍ୟା ଜଳଖିଆରେ ଚା’ ସହ ମିକ୍ସଚର, ମୁଡି, ବିସ୍କୁଟ (ଏଥିରୁ ଗୋଟିଏ) ଦିଆଯିବ ବୋଲି ଏହି ତାଲିକାରେ ଦର୍ଶାଯାଇଛି। ସେହିପରି ୬ବର୍ଷର ଶିଶୁଙ୍କୁ ହରଲିକ୍ସ ଓ କ୍ଷୀର ଦିଆଯିବ ବୋଲି ଜିଲାପାଳ ଟୁଇଟର ମାଧ୍ୟମରେ ସୂଚନା ଦେଇଛନ୍ତି।

Share