Categories: ଜାତୀୟ

ସଙ୍ଗୀତା ସିଂଦେଓଙ୍କୁ ପାର୍ଲାମେଣ୍ଟରେ ଆକ୍ରମଣ

ନୂଆଦିଲ୍ଲୀ,୪ା୩(ଆଇଏଏନ୍‌ଏସ୍‌): ବଲାଙ୍ଗୀରର ଭାଜପା ଏମ୍‌ପି ସଙ୍ଗୀତା କୁମାରୀ ସିଂଦେଓଙ୍କୁ ଲୋକ ସଭାରେ ଆକ୍ରମଣ ହୋଇଥିବା ସେ ମଙ୍ଗଳବାର ଅଭିଯୋଗ କରିଛନ୍ତି। ଗୃହକାର୍ଯ୍ୟ ଚାଲିଥିବାବେଳେ ଦୁଇଜଣ କଂଗ୍ରେସ ଏମ୍‌ପି ତାଙ୍କୁ ଆକ୍ରମଣ କରିଥିଲେ। ଏହା ପରେ ଗୃହକୁ ଦିନକ ପାଇଁ ମୁଲତବୀ ରଖାଯାଇଥିଲା। ଏନେଇ ସେ ବାଚସ୍ପତି ଓମ୍‌ ବିର୍ଲାଙ୍କ ପାଖରେ ଅଭିଯୋଗ କରିଛନ୍ତି। ଆକ୍ରମଣ ପରେ ସେ ପାର୍ଲାମେଣ୍ଟ ପରିସରରେ ଥିବା ହସ୍ପିଟାଲରେ ଚିକିତ୍ସିତ ହୋଇଥିଲେ। ହସ୍ପିଟାଲ ପ୍ରେସ୍‌କ୍ରିପ୍‌ଶନକୁ ସେ ତାଙ୍କ ଅଭିଯୋଗପତ୍ରରେ ସଂଯୋଗ କରିଛନ୍ତି। ସେ ପୂର୍ବରୁ ପାର୍ଲାମେଣ୍ଟ ସଦସ୍ୟ ରହିଥିଲେ। ତେବେ ଏଭଳି ଉଚ୍ଛୃଙ୍ଖଳିତ ବ୍ୟବହାର ସେ କେବେ ଦେଖି ନ ଥିଲେ ବୋଲି କହିଛନ୍ତି। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଘଟଣା ହୋଇଥିବାରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ସଙ୍ଗୀତା ଦାବି କରିଛନ୍ତି। ସଙ୍ଗୀତାଙ୍କ ଅଭିଯୋଗ ଅନୁଯାୟୀ, ବିରୋଧୀ ସଦସ୍ୟମାନେ ତାଙ୍କ ମୁହଁ ସାମନାରେ ବ୍ୟାନର ଟାଣି କାର୍ଯ୍ୟରେ ବାଧା ସୃଷ୍ଟି କରିଥିଲେ। ବିରୋଧୀ ଦଳର ଦୁଇ ମହିଳା ଏମ୍‌ପି ରାମ୍ୟା ହରିଦାସ ଓ ଜ୍ୟୋତିମଣି ତାଙ୍କ ହାତକୁ ଆଞ୍ଚୁଡି ଦେବା ସହ କହୁଣିରେ ଛାତିକୁ ମାରିଥିଲେ। କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ତାଙ୍କୁ ଧରି ନ ଥିଲେ ସେ ପଡ଼ିଯାଇଥାନ୍ତେ ବୋଲି ସଙ୍ଗୀତା କହିଛନ୍ତି। ସୋମବାର କେତେଜଣ ମହିଳା ଏମ୍‌ପି ବାଚସ୍ପତିଙ୍କୁ ଭେଟି ଜଶକୌର ମୀନା ଓ ଶୋଭା କରଣ୍ଡଲାଜେଙ୍କ ଉପରେ କଂଗ୍ରେସ ଏମ୍‌ପି ଆକ୍ରମଣ କରିଥିବା ଅଭିଯୋଗ କରିଥିଲେ। ଉକ୍ତ କଂଗ୍ରେସ ଏମ୍‌ପିଙ୍କୁ ବହିଷ୍କାର କରାଯାଉ ବୋଲି କରଣ୍ଡଲାଜେ ଦାବି କରିଥିଲେ। ଅନ୍ୟ ପକ୍ଷରେ ଭାଜପା ମହିଳା ଏମ୍‌ପି ତାଙ୍କୁ ଆକ୍ରମଣ କରିଥିବା କଂଗ୍ରେସ ଏମ୍‌ପି ରାମ୍ୟା ପାଲଟା ଅଭିଯୋଗ ଆଣିଥିଲେ।

Share