ସଚିନଙ୍କ ରେକର୍ଡ ଭାଙ୍ଗିଲେ ଆଫଗାନିସ୍ତାନ ବ୍ୟାଟ୍ସମ୍ୟାନ

ଲିଡ୍ସ,୫।୭- କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକରଙ୍କ ୨୭ ବର୍ଷର ପୁରୁଣା ରେକର୍ଡ ଭାଙ୍ଗିଛନ୍ତି ଆଫାଗାନିସ୍ତାନ ଓପନର ଇକ୍ରାମ ଅଲିଖିଲ। ସେ ବିଶ୍ୱକପ୍‌ ଇତିହାସରେ ସର୍ବକନିଷ୍ଠ ଖେଳାଳି ଭାବେ ୮୦ରୁ ଊର୍ଦ୍ଧ୍ୱ ରନ୍‌ କରିଛନ୍ତି। ତାଙ୍କ ବୟସ ଏବେ ୧୮ ବର୍ଷ ଓ ୨୭୮ ଦିନ। ସେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଅନ୍ତିମ ମ୍ୟାଚ୍‌ରେ ୮୬ ରନ୍‌ର ଇନିଂସ ଖେଳିଥିଲେ। ହେଲେ ଦଳକୁ ଜିତାଇ ପାରି ନ ଥିଲେ। ଏଥିପୂର୍ବରୁ ଏହି ରେକର୍ଡ ସଚିନଙ୍କ ନାମରେ ଥିଲା। ସେ ୧୯୯୨ ବିଶ୍ୱକପ୍‌ରେ ଜିମ୍ବାଓ୍ବେ ବିପକ୍ଷରେ ୮୧ ରନ୍‌ କରିିଥିଲେ। ସେତେବେଳେ ତାଙ୍କ ବୟସ ୧୮ ବର୍ଷ ୩୧୮ ଦିନ ହୋଇଥିଲା। ଉଇକେଟକିପର ବ୍ୟାଟ୍ସମ୍ୟାନ ମହମ୍ମଦ ଶେହଜାଦଙ୍କ ଆହତ ଯୋଗୁ ବିଶ୍ୱକପ୍‌ରୁ ବାଦ୍‌ ପଡ଼ିବା ପରେ ଇକ୍ରାମଙ୍କୁ ଆଫଗାନିସ୍ତାନ ଦଳରେ ସ୍ଥାନ ମିଳିଥିଲା। ଶ୍ରୀଲଙ୍କାର ପୂର୍ବତନ ଅଧିନାୟକ କୁମାର ସଙ୍ଗକାରାଙ୍କୁ ନିଜର ଆଇଡଲ ବୋଲି ଇକ୍ରାମ କହିଛନ୍ତି। ବ୍ୟାଟିଂ କରିବାବେଳେ ସଙ୍ଗକାରା କେଉଁଭଳି ଖେଳୁଥିଲେ, ତାହା ଚିନ୍ତା କରୁଥିଲି। ଷ୍ଟ୍ରାଇକ୍‌ ରୋଟେଟ୍‌ ଓ ଦରକାରବେଳେ ଚୌକା ଲଗାଇ ପାରୁଥିବା ଦକ୍ଷତା ସଙ୍ଗକାରାଙ୍କୁ ବିଶ୍ୱ ସ୍ତରୀୟ ବ୍ୟାଟ୍ସମ୍ୟାନର ପରିଚୟ ଦିଏ। ଏଥିଯୋଗୁ ମୁଁ ତାଙ୍କ ନକଲ କରିବାକୁ ଉଦ୍ୟମ କରୁଛି। କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭଙ୍ଗ କରିଥିବାରୁ ମୁଁ ଗର୍ବିତ ବୋଲି ଇକ୍ରାମ କହିଛନ୍ତି।

Share