Categories: ଖେଳ

ସଚିନଙ୍କ ରେକର୍ଡ ଭାଙ୍ଗିପାରିବେନି କୋହଲି: କାରଣ ବୁଝାଇ କହିଲେ ବ୍ରାଏନ ଲାରା

ନୂଆଦିଲ୍ଲୀ,୭।୧୨: ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର ଥରେ କହିଥିଲେ ବିରାଟ କୋହଲି କିମ୍ବା ରୋହିତ ଶର୍ମା ତାଙ୍କ ୧୦୦ ଶତକର ରେକର୍ଡ ଭାଙ୍ଗି ପାରିବେ। ସେତେବେଳେ ରୋହିତ ଏବଂ ବିରାଟ ଭାରତୀୟ ଦଳରେ ଯୁବ ଖେଳାଳି ଥିଲେ। ଏବେ ଯଦି କେହି ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗି ପାରିବେ, ତେବେ ଏହା କେବଳ ବିରାଟ କୋହଲି। କିନ୍ତୁ ବର୍ତ୍ତମାନ ୱେଷ୍ଟଇଣ୍ଡିଜ୍‌ ପୂର୍ବତନ ବ୍ୟାଟ୍ସମ୍ୟାନ ବ୍ରାଏନ ଲାରା କହିଛନ୍ତି, କୋହଲିଙ୍କ ପାଇଁ ସଚିନଙ୍କ ରେକର୍ଡ ଭାଙ୍ଗିବା କଷ୍ଟସାଧ୍ୟ ହେବ।
କୋହଲି ଦିନିକିଆ ବିଶ୍ୱକପ ୨୦୨୩ ମାଧ୍ୟମରେ ଦିନିକିଆ ଫର୍ମାଟରେ ସର୍ବାଧିକ ୫୦ ଶତକ ସ୍କୋର କରିବାର ରେକର୍ଡ ସୃଷ୍ଟି କରିଥିଲେ। ବର୍ତ୍ତମାନ କୋହଲି ଅନ୍ତର୍ଜାତୀୟ କ୍ରିକେଟରେ ୮୦ ଶତକ ହାସଲ କରିଛନ୍ତି, ଯାହା ଦେଖି ସେ ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିବେ ବୋଲି ଅନୁମାନ କରାଯାଉଛି। କିନ୍ତୁ ଭେଟେରାନ ବ୍ରାଏନ ଲାରା ଏହା ଯୁକ୍ତିଯୁକ୍ତ ନୁହେଁ ବୋଲି କହିଛନ୍ତି।
ୱେଷ୍ଟଇଣ୍ଡିଜ କିମ୍ବଦନ୍ତୀ ଲାରା ଏକ ସାକ୍ଷାତକାରରେ କହିଛନ୍ତି, କୋହଲିଙ୍କୁ ବର୍ତ୍ତମାନ ବୟସ କେତେ? ୩୫ ନା? ତାଙ୍କର ୮୦ ଶତକ ଅଛି ଏବଂ ତଥାପି ଆହୁରି ୨୦ଟି ଆବଶ୍ୟକ। ଯଦିଓ ସେ ପ୍ରତିବର୍ଷ ୫ ଶତକ ସ୍କୋର କରନ୍ତି, ତେବେ ସଚିନଙ୍କ ରେକର୍ଡକୁ ସମାନ କରିବା ପାଇଁ ତାଙ୍କୁ ୪ ବର୍ଷ ଆବଶ୍ୟକ ହେବ ଏବଂ ସେତେବେଳକୁ ତାଙ୍କୁ ୩୯ ବର୍ଷ ହୋଇଥିବା। ଏହା ବହୁତ କଠିନ କାର୍ଯ୍ୟ। କେବଳ କୋହଲି ନିକଟତର ହୋଇପାରିବେ। ମୁଁ ତାଙ୍କ ଅନୁଶାସନ ଏବଂ ଉତ୍ସର୍ଗର ଏକ ବଡ଼ ପ୍ରଶଂସକ। କିନ୍ତୁ କୋହଲି ସଚିନଙ୍କ ରେକର୍ଡ ଭାଙ୍ଗିବା କଷ୍ଟକର।

Share