Categories: ଖେଳ

ସଚିନଙ୍କ ସମକକ୍ଷ ହୋଇପାରନ୍ତି ଶାକିବ

ଲଡର୍‌ସ, ୫।୭- ବାଂଲାଦେଶ ବିଶ୍ୱକପ୍‌ ସେମିଫାଇନାଲ ଦୌଡ଼ରୁ ବାଦ୍‌ ପଡ଼ି ସାରିଥିଲେ ମଧ୍ୟ ବରିଷ୍ଠ କ୍ରିକେଟର ଶାକିବ ଅଲ୍‌ ହାସନ ଦମ୍‌ଦାର ପ୍ରଦର୍ଶନ ଜାରି ରଖିଛନ୍ତି। ଏହି ବାମହାତୀ ଅଲ୍‌ରାଉଣ୍ଡର ବର୍ତ୍ତମାନ ସୁଦ୍ଧା ୫୪୨ ରନ୍‌ ସଂଗ୍ରହ କରିଛନ୍ତି। ଯେଉଁଥିରେ ୨ ଶତକ ଓ ୪ ଅର୍ଦ୍ଧଶତକ ସାମିଲ ରହିଛି। ସେହିଭଳି ଗୋଟିଏ ବିଶ୍ୱକପ୍‌ରେ ୫୦୦ରୁ ଊର୍ଦ୍ଧ୍ୱ ରନ୍‌ ସଂଗ୍ରହ କରିବା ସହିତ ୧୦ ଉଇକେଟ୍‌ ଅକ୍ତିଆର କରିବାରେ ସେ ବିଶ୍ୱର ପ୍ରଥମ କ୍ରିକେଟର୍‌ ହେବାର କିର୍ତ୍ତୀମାନ କରିଛନ୍ତି। ବାଂଲାଦେଶ ଏହାର ଅନ୍ତିମ ଲିଗ୍‌ ମ୍ୟାଚ୍‌ରେ ଶୁକ୍ରବାର ପାକିସ୍ତାନକୁ ଭେଟିବ। ଯଦି ଏହି ମ୍ୟାଚ୍‌ରେ ଶାକିବ ଆଉ ଏକ ଅର୍ଦ୍ଧଶତକ ହାସଲ କରନ୍ତି ତେବେ ବିଶ୍ୱକପ୍‌ର ଗୋଟିଏ ସଂସ୍କରଣରେ ୫୦ ବା ଏହାଠାରୁ ଊର୍ଦ୍ଧ୍ୱ ସ୍କୋର କରିବାରେ ସେ କିମ୍ବଦନ୍ତୀ ଭାରତୀୟ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକରଙ୍କ ସହ ସମକକ୍ଷ ହେବେ। ତେନ୍ଦୁଲକର ୨୦୦୩ ବିଶ୍ୱକପ୍‌ରେ ୬ ଅର୍ଦ୍ଧଶତକ ଓ ଗୋଟିଏ ଶତକ ସହ ମୋଟ୍‌ ୭ଥର ୫୦ ବା ଏହାଠାରୁ ଊର୍ଦ୍ଧ୍ୱ ସ୍କୋର କରି ଏହି ତାଲିକାର ଶୀର୍ଷରେ ରହିଛନ୍ତି। ଶାକିବ ଚଳିତ ସଂସ୍କରଣରେ ୬ଥର ୫୦ରୁ ଉର୍ଦ୍ଧ୍ୱ ସ୍କୋର କରିସାରିଛନ୍ତି।

Share