Categories: ଖେଳ

ସଚିନ, ସେହ୍ବାଗଙ୍କ କ୍ଲବରେ ରୋହିତ

ରାଞ୍ଚି,୨୦।୧୦- ଦିନିକିଆ ଓ ଟେଷ୍ଟ ଫର୍ମାଟରେ ଦ୍ୱିଶତକ କରିବାରେ ରୋହିତ ଶର୍ମା ବିଶ୍ୱର ୪ର୍ଥ ବ୍ୟାଟ୍ସମ୍ୟାନ। ନୂଆ କରି ଓପନର ଭାବେ ଟେଷ୍ଟରେ ଖେଳୁଥିବା ରୋହିତ ଦକ୍ଷିଣ ଆଫ୍ରିକା ବିପକ୍ଷ ଅନ୍ତିମ ତଥା ୩ୟ ଟେଷ୍ଟରେ ୨୧୨ ରନ୍‌ର ଇନିଂସ ଖେଳି ସ୍ବତନ୍ତ୍ର ତାଲିକାରେ ସ୍ଥାନ ପାଇଛନ୍ତି। ଏହି ତାଲିକାରେ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକର, ବୀରେନ୍ଦ୍ର ସେହ୍ବାଗ ଓ ଓ୍ବେଷ୍ଟଇଣ୍ଡିଜର କ୍ରିସ ଗେଲ୍‌ ରହିଛନ୍ତି। ସୂଚନାଯୋଗ୍ୟ ଯେ, ରୋହିତଙ୍କ ନାମରେ ୩ ଦିନିକିଆ ଦ୍ୱିଶତକ ରହିଛି। ୫୦ ଓଭର ବିଶିଷ୍ଟ ମ୍ୟାଚ୍‌ରେ ସର୍ବାଧିକ ବ୍ୟକ୍ତିଗତ ସ୍କୋର (୨୬୪ ରନ୍‌)ର ବିଶ୍ୱ ରେକର୍ଡ ମଧ୍ୟ ତାଙ୍କ ନାମରେ ରହିଛି। ସେ ୨୪୯ତମ ବଲରେ ଦ୍ୱିଶତକ ପୂରଣ କରିଥିଲେ। ଦ୍ୱିଶତକ ହାସଲ କରିବା ପୂର୍ବରୁ ରୋହିତ ଅଳ୍ପ ନର୍ଭସ ଜଣାପଡ଼ୁଥିଲେ। ଲଞ୍ଚ ପରେ ତାଙ୍କୁ ଦ୍ୱିଶତକ ପୂରଣ କରିବା ପାଇଁ ୧ ରନ୍‌ ଦରକାର ଥିଲା। ରବିବାର ସେହ୍ବାଗଙ୍କ ଜନ୍ମଦିନରେ ରୋହିତ ପ୍ରତିପକ୍ଷ ପେସର ଲୁଙ୍ଗି ଏନ୍‌ଗିଡିଙ୍କୁ ହୁକ୍‌ ଶଟ ଖେଳି ଦ୍ୱିଶତକ କରିଥିଲେ। ଏଥିସହ ସେ ୫ମ ଭାରତୀୟ ଓପନର ଭାବେ ଗୋଟିଏ ସିରିଜ୍‌ରେ ୫୦୦ ରନ୍‌ କରିବାର ସଫଳତା ପାଇଛନ୍ତି। ଏହି ତାଲିକାରେ ବିନୁ ମଙ୍କଡ, ବୁଦ୍ଧି କୁଣ୍ଡେରାନ, ସୁନିଲ ଗାଭାସ୍କର ଓ ବୀରେନ୍ଦ୍ର ସେହ୍ବାଗ ରହିଛନ୍ତି।

Share